ଭୁବନେଶ୍ୱର(ଏଟିଆର ବ୍ୟୁରୋ): ସାରା ବିଶ୍ୱ ଏବେ ମହାମାରୀ କରୋନାର ମୁକାବିଲା କରିବାରେ ଲାଗିପଡିଛି । ମୋଟ ୧୬୭ ଦେଶକୁ ଏହି ଭାଇରସ ବ୍ୟାପି ସାରିଲାଣି । ଏହି ଭାରଇରସରେ ୭ ହଜାରରୁ ଅଧିକ ଲୋକ ମୃତ୍ୟୁ ବରଣ କରିସାରିଲେଣି । ଭାରତରେ ୧୪୦ରୁ ଉର୍ଦ୍ଧ ଲୋକ ଆକ୍ରାନ୍ତ ଥିବା ବେଲେ ୩ ଜଣଙ୍କ ମୃତ୍ୟୁ ହୋଇଛି । ସେହିପରି ଓଡିଶାରେ ଜଣେ କରୋନା ରୋଗୀ ଚିହ୍ନଟ ହୋଇଛନ୍ତି । ତେବେ ଏହାର ମୁକାବିଲା କରିବା ପାଇଁ ଉଭୟ କେନ୍ଦ୍ର ଓ ରାଜ୍ୟ ସରକାର ବିଭିନ୍ନ ପ୍ରକାରର ପଦକ୍ଷେପ ମାନ ଗ୍ରହଣ କରୁଛନ୍ତି । ରାଜ୍ୟର ବିଭିନ୍ନ ବିଭାଗ ଗାଇଡ ଲାଇନ ଜାରି କରୁଛନ୍ତି ।
ସେହିଭଳି ଜେଲକୁ କରୋନା ଭାଇରସ ନବ୍ୟାପି ବାକୁ କାରାଗାର ମହାନିର୍ଦ୍ଦେଶକ ଗତକାଲି ସ୍ବତନ୍ତ୍ର ଆଡଭାଇଜାରି ଜାରି କରିଛନ୍ତି।ବିଚାର ବିଭାଗୀୟ ହାଜତକୁ ପ୍ରଥମ କରି ଆସୁଥିବା ଅଭିଯୁକ୍ତଙ୍କୁ ଅନ୍ତତଃ ଗୋଟିଏ ସପ୍ତାହ ପର୍ଯ୍ୟନ୍ତ ଡାକ୍ତରଙ୍କ ତତ୍ତ୍ୱାବଧାନରେ କ୍ୱାରାଣ୍ଟାଇନରେ ରହିବା ପାଇଁ ନିର୍ଦ୍ଦେଶ ଦିଆଯାଇଛି।ମୁଖ୍ୟ ଫାଟକରେ ସାନିଟାଇଜର ରହିବା ସହ କରୋନା ସମ୍ପର୍କରେ ଲୋକଙ୍କୁ ସଚେତନା କରାଯିବାକୁ ସ୍ଥିର ହୋଇଛି।ଭିଡିଓ କନଫରେନ୍ସିଂ ଜରିଆରେ କୋର୍ଟରେ ବନ୍ଦୀଙ୍କୁ ହାଜର କରାଯିବା ସହ ଥଣ୍ଡା, ଗଳାରେ ଯନ୍ତ୍ରଣା, ନିଶ୍ବାସ ନେବାରେ କଷ୍ଟ ହେଲେ ସେମାନଙ୍କ ତୁରନ୍ତ ଚିକିତ୍ସା କରାଯିବ।
ଜେଲ୍ ମେଡିକାଲରେ ଆଇସୋଲେଶନ ୱାର୍ଡ ବ୍ୟବସ୍ଥା କରାଯିବ।ଡ୍ୟୁଟି କରୁଥିବା କର୍ମଚାରୀ ମଧ୍ୟ ମାସ୍କ ବ୍ୟବହାର କରିବା ବାଧ୍ୟତାମୂଳକ।ଅନ୍ୟ ରାଜ୍ୟରେ ଥିବା କୋର୍ଟରେ ହାଜର ହୋଇ ଫେରୁଥିବା ବନ୍ଦୀଙ୍କ କ୍ଷେତ୍ରରେ ଯାଞ୍ଚ ବ୍ୟବସ୍ଥାକୁ କଡ଼ାକଡ଼ି କରାଯିବ। ଜେଲରେ ବନ୍ଦୀଙ୍କୁ ସମ୍ପର୍କୀୟ କିମ୍ବା ଓକିଲମାନେ ଦେଖା କରି ପାରିବେ ନାହିଁ ।ଜେଲ୍ ଭିତରେ କୌଣସି ପ୍ରକାରର କାର୍ଯ୍ୟକ୍ରମ ହୋଇପାରିବ ନାହିଁ। ଏନେଇ କାରାଗାର ମହାନିର୍ଦ୍ଦେଶକ ସନ୍ତୋଷ ଉପାଧ୍ୟାୟ ରାଜ୍ୟର ସମସ୍ତ ଜେଲ୍ ସୁପରିଣ୍ଟେଣ୍ଡେଣ୍ଟଙ୍କୁ ଚିଠି ମାଧ୍ୟମରେ ଜଣାଇଛନ୍ତି।