ଭୁବନେଶ୍ୱର (ଏଟିଆର ବ୍ୟୁରୋ): ଚୀନରୁ ଆରମ୍ଭ ହୋଇଥିବା କରୋନା ଭାଇରସ ଏବେ ମହାମାରିର ରୂପ ନେବାକୁ ଲାଗିଲାଣି । କରୋନାର କବଳରେ ଧୀରେ ଧୀରେ କରି ବିଭିନ୍ନ ଦେଶ ପଶିବାରେ ଲାଗିଲେଣି । ଭାରତରେ ମଧ୍ୟ କରୋନାର ପ୍ରଭାବ ଦେଖିବାକୁ ମିଳିଲାଣି । ତେବେ ଏହି ମହାମାରିରୁ ରକ୍ଷା ପାଇବା ପାଇଁ ଉଭୟ କେନ୍ଦ୍ର ଓ ରାଜ୍ୟ ସରକାର ବିଭିନ୍ନ ଆଡଭାଇଜରି ଜାରି କରିଛନ୍ତି । ତେବେ ଏହି ରୋଗ କବଳରୁ ରାଜ୍ୟବାସୀଙ୍କୁ ରକ୍ଷା କରିବା ପାଇଁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ବିଭିନ୍ନ ନିର୍ଦ୍ଦେଶ ନାମା ଜାରି କରିଛନ୍ତି ।
ଆଜି ଖାରବେଳ ଭବନଠାରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଅଧ୍ୟକ୍ଷତାରେ ସ୍ୱାସ୍ଥ୍ୟ ସଚିବ ଓ ଏନଏଚଏମ ନିର୍ଦ୍ଦେଶକ ସାଳିନୀ ପଣ୍ଡିତଙ୍କ ସହ ସ୍ୱାସ୍ଥ୍ୟ ଅଧିକାରୀଙ୍କ ଏକ ବୈଠକ ଅନୁଷ୍ଠିତ ହୋଇଯାଇଛି । କରୋନାର ସ୍ଥିତି ସମୀକ୍ଷା କରିବା ସହ କରୋନା ମୁକାବିଲା ପାଇଁ ବିଭିନ୍ନ ନିର୍ଦ୍ଦେଶ ନାମା ଜାରି କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ମୁଖ୍ୟମନ୍ତ୍ରୀ କହିଛନ୍ତି, କରୋନା ମୁକାବିଲା ଆବଶ୍ୟକ ପଦକ୍ଷେପ ନେବା ପାଇଁ ଏକ କମିଟି କରାଯିବ ।
ମୁଖ୍ୟମନ୍ତ୍ରୀଙ୍କ ନିର୍ଦ୍ଦେଶ କ୍ରମେ
– ମନ୍ତ୍ରୀ ଓ ଅଫିସରଙ୍କ ବିଦେଶ ଗସ୍ତ ଉପରେ ରୋକ ଲଗାଇବାକୁ ନିର୍ଦ୍ଦେଶ ଦିଆଯାଇଛି ।
– ରାଜ୍ୟରେ ବାୟୋମେଟ୍ରିକ ଉପସ୍ଥାପନ ବ୍ୟବସ୍ଥା କିଛି ଦିନ ପାଇଁ କୋହଳ କରାଯିବ ।
– ଆସନ୍ତା ୯ମାସ ଯାଏଁ ପର୍ଯ୍ୟପ୍ତ ପରିମାଣର ମାସ୍କ ମହଜୁତ ରଖାଯିବ ।
– ରାଜ୍ୟରେ ଥିବା ଘରୋଇ ମେଡିକାଲରେ ଆଇସୋଲେସନ ବ୍ୟବସ୍ଥା କରାଯିବ ।
– ଲୋକଙ୍କ ମଧ୍ୟରେ ବ୍ୟାପକ ସଚେତନତା ସୃଷ୍ଟି କରାଯିବ ।
– ବିଭିନ୍ନ ପଞ୍ଚାୟତ ଓ ପଞ୍ଚାୟତ ସମିତିରେ ସଭାକରି ସଚେତନ କରିବେ ।
– ପଞ୍ଚାୟତିରାଜ , ନଗର ଉନ୍ନୟନ ଓ ଏସଏଚଜି ସଚେତନତା ସୃଷ୍ଟି କରିବେ ।
– ସ୍କୁଲ ଚଟାଣ, ଟେବୁଲ ଓ ଡୋର ହ୍ୟାଣ୍ଡେଲକୁ ବିଶୋଧନ କରିବାକୁ ନିର୍ଦ୍ଦେଶ ଦିଆଯାଇଛି ।
– ଯେଉଁ ପିଲାର ସ୍ୱାସ୍ଥ୍ୟବସ୍ଥା ଠିକ ନଥିବ ସେମାନେ ସ୍କୁଲ ଆସିବେ ନାହିଁ
– ଲୋକମାନଙ୍କୁ ସଚେତନ କରାଇବା ପାଇଁ ସହରର ମଖ୍ୟ ରାସ୍ତାରେ ସଚେତନଧର୍ମୀ ହୋଡିଂ ବ୍ୟାନର ଲଗାଯିବ ।