ନୂଆଦିଲ୍ଲୀ(ଏଟିଆର ବ୍ୟୁରୋ):ଜଣେ ବ୍ୟକ୍ତି କରୋନାରେ ସଂକ୍ରମିତ ହୋଇଛି କି ନାହିଁ ତାହା ଜାଣିବା ପାଇଁ ସ୍ୱାବ ପରୀକ୍ଷା କରାଯାଇଥାଏ । ଏନେଇ ବ୍ୟକ୍ତିଙ୍କ ନାକ ବା ପାଟିରୁ ସ୍ୱାବ ନେଇ ପରୀକ୍ଷା କଲେ ଉକ୍ତ ବ୍ୟକ୍ତି ଜଣଙ୍କ କରୋନାରେ ସଂକ୍ରମିତ ଅଛନ୍ତି କି ନାହିଁ ତାହା ଜଣାପଡିଥାଏ ।
କିନ୍ତୁ ଏବେ କରୋନା ସଂକ୍ରମଣକୁ ଚିହ୍ନିବା ପାଇଁ ଭାରତୀୟ ସେନା ପକ୍ଷରୁ କୁକୁରର ବ୍ୟବହାର କରାଯାଉଛି । କକେର ସ୍ପାନିଏଲ ପ୍ରଜାତିର କୁକୁର କାସପର ଓ ଦେଶୀ ପ୍ରଜାତିର ଚିପ୍ପାରାଇ ଜୟା ଏହି କୁକୁରଙ୍କୁ ଯବାନଙ୍କୁ ଚିହ୍ନଟ କରିବା ପାଇଁ ପ୍ରଶିକ୍ଷଣ ଦିଆଯାଇଛି ।
କାସପର କୁ ୨ ବର୍ଷ ହୋଇଥିବା ବେଳେ ଜୟାକୁ ହୋଇଛି ୧ ବର୍ଷ । ଜୟା ଓ କାସପର ସୈନକଙ୍କ ଝାଳ ଓ ପରିଶ୍ରାକୁ ଆଘ୍ରାଣ କରି ଜାଣିପାରୁଛନ୍ତି କେଉଁ ବ୍ୟକ୍ତି କରୋନା ରେ ସଂକ୍ରମିତ ହୋଇଛନ୍ତି କି ନାହିଁ । ଭେଷଜ ବିଜ୍ଞାନର ତଥ୍ୟ ଅନୁଯାୟୀ କରୋନା ସଂକ୍ରମିତ ବ୍ୟକ୍ତିଙ୍କ ଶରୀର ଟିସୁରୁ ସ୍ବତନ୍ତ୍ର ଭୋଲାଟାଇଲ ମେଟାବୋଲିକ୍ ବାୟୋମାର୍କର ବାହାରିଥାଏ ଯାହା ରୋଗକୁ ନିରୂପଣ କରିବାରେ ସହାୟକ ହୋଇଥାଏ।
ଏହି ଦୁଇ କୁକୁରଙ୍କୁ ଦିଲ୍ଲୀ ଓ ଚଣ୍ଡିଗଡରେ ନିଯୁକ୍ତି କରାଯାଇଛି । ସେନାର ଯବାନ ମାନଙ୍କୁ ଦିଲ୍ଲୀ ଓ ଚଣ୍ଡିଗଡକୁ ପଠାଯାଇଥାଏ । ଏହି ଦୁଇଟି କୁକୁର ବର୍ତ୍ତମାନ ସୁଦ୍ଧା ୩୮୦୬ ଯବାନଙ୍କ ନମୁନାକୁ ଆଘ୍ରାଣ କରିଥିବା ବେଳେ ୨୨ ଟି ପଜିଟିଭ ରହିଛି । ଭାରତ ସେନା ରୋଗ ଚିହ୍ନଟ ପ୍ରକ୍ରିୟାରେ ଏହା ହେଉଛି ପ୍ରଥମ ସଫଳତା।