ଭୁବନେଶ୍ୱର ( ଏଟିଆର ବ୍ୟୁରୋ): ରାଜ୍ୟରେ ପ୍ରତିଦିନ କରୋନା ସଂକ୍ରମଣରେ ମୃତ୍ୟୁ ସଂଖ୍ୟା ବୃଦ୍ଧି ପାଉଛି । ଆଜି ରାଜ୍ୟରେ ୧୨ ଜଣ କରୋନା ସଂକ୍ରମିତଙ୍କର ମୃତ୍ୟୁ ହୋଇଛି । ଏହି ମୃତ୍ୟୁ ସଂଖ୍ୟା ମିଶିବା ପରେ ରାଜ୍ୟରେ ମୋଟ କରୋନା ଜନିତ ମୃତ୍ୟୁ ସଂଖ୍ୟା ୪୮୨ ରେ ପହଞ୍ଚିଛି ।
ତେବେ ଆଜି ୧୨ ଜଣ ମୃତକଙ୍କ ମଧ୍ୟରେ କେବଳ ଗଞ୍ଜାମ ଜିଲ୍ଲାରୁ ୪ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ଭୁବନେଶ୍ୱର, କଟକ, ଯାଜପୁର, ମାଲକାନଗିରି, ନବରଙ୍ଗପୁର, ପୁରୀ, ରାୟଗଡା, ସୁନ୍ଦରରଗଡ ଜିଲ୍ଲାରୁ ଜଣେ ଲେଖାଏଁ ଲୋକଙ୍କର ମୃତ୍ୟୁ ହୋଇଛି । ସୂଚନାଯୋଗ୍ୟ ଆଜି ରାଜ୍ୟରେ ଏକ ଲକ୍ଷ ଟପିଲା କରୋନା ସଂକ୍ରମଣ ।
ଗତ ୨୪ ଘଣ୍ଟା ମଧ୍ୟରେ ୩୦୧୪ ଜଣ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି । ଫଳରେ ଏହି ସଂଖ୍ୟା ମିଶିବା ପରେ ରାଜ୍ୟରେ ମୋଟ କରୋନା ସଂକ୍ରମିତଙ୍କ ସଂଖ୍ୟା ୧୦୦୯୩୪ ରେ ପହଞ୍ଚିଛି । ଏନେଇ ରାଜ୍ୟ ସୂଚନା ଓ ଲୋକ ସମ୍ପର୍କ ବିଭାଗ ପକ୍ଷରୁ ଟ୍ୱିଟ କରି ସୂଚନା ଦିଆଯାଇଛି । ଏବେ ରାଜ୍ୟରେ ମୋଟ ୨୯୬୮୫ ଟି ଆକ୍ଟିଭ କେସ ରହିଥିବା ବେଳେ ୭୦୭୧୪ ଜଣ ଲୋକ ସୁସ୍ଥ ହୋଇ ଘରକୁ ଫେରିଛନ୍ତି । ସେହିଭଳି ଭାବେ ଆଜି ଚିହ୍ନଟ ହୋଇଥିବା ୩୦୧୪ ମଧ୍ୟରୁ ୧୮୬୮ ଜଣ କ୍ୱାରେଣ୍ଟିନ ସେଣ୍ଟରରୁ ହୋଇଥିବା ବେଳେ ବାକି କେସ ସ୍ଥାନୀୟ ଅଞ୍ଚଳର ।