ଭୁବନେଶ୍ୱର (ଏଟିଆର ବ୍ୟୁରୋ): ରାଜ୍ୟରେ କରୋନା ରୋଗୀ ଚିହ୍ନଟ ହେବା ପରେ ରାଜ୍ୟରେ ଏବେ ମାସ୍କ ମରୁଡି ପଡୁଛି । ମେଡିକାଲ ଷ୍ଟୋମରମାନଙ୍କରେ ଏବେ ମାସ୍କକୁ ନେଇ ଚଢାଭିଡା । ଆଉ ଯେଉଁ ଦୋକାନରେ ମାସ୍କ ରହିଛି ସେସବୁ ସ୍ଥାନରେ ଚଢା ଦରରେ ମାସ୍କ ବିକ୍ରି କରାଯାଉଥିବା ଦେଖିବାକୁ ମିଳୁଛି । ଯାହାକୁ ନେଇ ଏବେ ସାଧାରଣରେ ଅସନ୍ତୋଷ ଦେଖିବାକୁ ମିଳିଛି । ତେବେ ଏହିଭଳି ଏକ ସମ୍ବେଦନଶୀଳ ସମୟରେ କରୋନା ରାଜ୍ୟ ମୁଖପାତ୍ର ସୁବ୍ରତ ବାଗଚି ମାସ୍କକୁ ନେଇ ବିଚଳିତ ନହେବାକୁ ସେ କହିଛନ୍ତି । ରାଜ୍ୟ ମୁଖପାତ୍ର ସୁବ୍ରତ ବାଗଚି ଏକ ତଥ୍ୟ ରଖି କହିଛନ୍ତି ଯେ ରାଜ୍ୟରେ ଏଯାବତ ୪୭ ଟି ସାମ୍ପଲ ଟେଷ୍ଟ କରାଯାଇଛି । ସେଥିମଧ୍ୟରୁ ୪୬ ଟି ନେଗଟିଭ ରହିଛି ।
ତେବେ ମୁଖପାତ୍ର ବାଗଚି କହିଛନ୍ତି ସମସ୍ତ ଲୋକ ମାସ୍କ ପିନ୍ଧିବା କୌଣସି ଆବଶ୍ୟକ ନାହିଁ । ଅସୁସ୍ଥ ଲୋକ ମାସ୍କ ପିନ୍ଧିବା ଦରକାର । ମାସ୍କ ୨ ପ୍ରକାର ବ୍ୟକ୍ତି ପିନ୍ଧିବା ଦରକାର । ଯେଉଁମାନେ ସଂକ୍ରମିତ ଓ ଯେଉଁମାନଙ୍କୁ ସଂକ୍ରମଣ ହେବାର ଆଶଙ୍କା ରହିଛି । ବିଶେଷ କରି ଯେଉଁମାନଙ୍କୁ ଥଣ୍ଡା ଜ୍ୱର ହୋଇଛି । ଯେଉଁମାନେ ହସପିଟାଲ ଆଦିରେ କାମ କରୁଛନ୍ତି ସେହିମାନେ ମାସ୍କ ବ୍ୟବହାର କରନ୍ତୁ ।