ଭୁବନେଶ୍ୱର ( ଏଟିଆର ବ୍ୟରୋ): କେନ୍ଦ୍ର ସରକାର ଖୋର୍ଦ୍ଧା ଜିଲ୍ଲାକୁ କରୋନା ହଟସ୍ପଟ ଜିଲ୍ଲା ଭାବେ ଘୋଷଣା କରିବା ପରେ ଏବେ ରାଜ୍ୟ ସରକାର ରାଜଧାନୀ ଭୁବନେଶ୍ୱରକୁ ଅଧିକ ଗରୁତର ଭାବେ ନେଇଛନ୍ତି । ଏନେଇ ସୂଚନା ଦେଇଛନ୍ତି ରାଜ୍ୟ ମୁଖ୍ୟ ଶାସନ ସଚିବ ଅସିତ ତ୍ରିପାଠୀ । ରାଜଧାନୀରେ ଆସନ୍ତା ୭ ଦିନ ମଧ୍ୟରେ ୫ ହଜାର ଲୋକଙ୍କ ସାମ୍ପଲ ଟେଷ୍ଟ କରାଯିବ ବୋଲି ସୂଚନା ଦେଇଛନ୍ତି । ଏନେଇ ସେ କହିଛନ୍ତି ଏପର୍ଯ୍ୟନ୍ତ ଭୁବନେଶ୍ୱରରେ ୧୯୫୮ ଟି ସାମ୍ପଲ ଟେଷ୍ଟ କରାଯାଇଥିବା ବେଳେ ଆଗାମୀ ୭ ଦିନ ମଧ୍ୟରେ ୫ ହଜାର ଟେଷ୍ଟ କରିବାକୁ ନିଷ୍ପତ୍ତି ହୋଇଛି । ଯାହା ଫଳରେ ରାଜଧ।।ନୀରେ କରୋନାକୁ ନେଇ ଏକ ସ୍ପଷ୍ଟ ଚିତ୍ର ଆସି ପାରିବ । ସହରର ବିଭିନ୍ନ ସ୍ଥାନରେ କ୍ୟାମ୍ପ କରାଯାଇ ନମୂନା ସଂଗ୍ରହ କରାଯିବ ।
ସେହିଭଳି ମୋବାଇଲ ଭ୍ୟାନ ବୁଲିବୁଲି ମଧ୍ୟ ସାମ୍ପଲ ଟେଷ୍ଟ କରିବ । ଏଥିରେ ୪ଟି ବର୍ଗର ଲୋକଙ୍କୁ ଚୟନ କରାଯାଇ ସାମ୍ପଲ ନିଆଯିବ । ଟ୍ରାଭେଲ୍ ହିଷ୍ଟ୍ରିଥିବା ଲୋକ ଏବଂ ଲକ୍ଷଣ ଥିବା ଲୋକଙ୍କ ସାମ୍ପଲ ନିଆଯିବ । ଏଥି ସହ ସ୍ବାସ୍ଥ୍ୟକର୍ମୀ, ପୋଲିସ ଓ ପରିମଳ କର୍ମଚାରୀଙ୍କ ନମୂନା ପରୀକ୍ଷା ହେବ । ୬୦ବର୍ଷରୁ ଅଧିକ ବୟସ୍କ ଏବଂ ସ୍ବାସ କିମ୍ବା ସର୍ଦ୍ଦି ଜନିତ ରୋଗ ଥିବା ଲୋକଙ୍କର ମଧ୍ୟ ଟେଷ୍ଟ କରାଯିବ ବୋଲି ସୂଚନା ମିଳିଛି । ଯେଉଁମାନେ ଏଥିରେ ସହଯୋଗ ନକରିବେ ସେମାନଙ୍କ ଉପରେ ଦୃଢ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ।
ଅନ୍ୟପଟେ ରାଜ୍ୟରେ ପୁଣି ୨ ଜଣ କରୋନା ସକ୍ରମିତ ସୁସ୍ଥ ହୋଇଥିବା ସୂଚନା ମିଳିଛି । ଏନେଇ ସୂଚନା ଦେଇଛି ସ୍ୱାସ୍ଥ୍ୟ ବିଭାଗ । ବିଭାଗ ଏନେଇ ଗତକାଲି ଟ୍ୱିଟ କରି ସୂଚନା ଦେଇଛି । ସୁସ୍ଥ ହୋଇଥିବା ୨ ଜଣ ଆକ୍ରାନ୍ତ ଭୁବନେଶ୍ୱରର ବୋଲି ଜଣା ପଡିଛି । ଏହି ୨ ଜଣଙ୍କୁ ମିଶାଇଲେ ଏବେ କରୋନାରୁ ସୁସ୍ଥ ହୋଇଥିବା ବ୍ୟକ୍ତିଙ୍କ ସଂଖ୍ୟା ୨୧ ରେ ପହଞ୍ଚିଛି । ଗତ ୨ ଦିନ ହେଲା ରାଜ୍ୟରେ କରୋନା ସଂକ୍ରମିତଙ୍କ ସଂଖ୍ୟା ସେଇ ୬୦ ରେ ସ୍ଥିର ରହିଛି । ଅର୍ଥାତ ୨ ଦିନ ହେଲା କୌଣସି ପଜିଟିଭ ବାହାରି ନାହାନ୍ତି ।