ଭୁବନେଶ୍ୱର ( ଏଟିଆର ବ୍ୟୁରୋ): ଏବେ ରାଜ୍ୟପାଇଁ ମୁଣ୍ଡ ବିନ୍ଧାର କାରଣ ପାଲିଟିଛି ପଶ୍ଚିମବଙ୍ଗ । କାରଣ ପଶ୍ଚିବଙ୍ଗରୁ ଫେରୁଥିବା ଶ୍ରମିକଙ୍କ ନିକଟରେ ଏବେ କରୋନା ପଜିଟିଭ ଦେଖା ଦେଇଛି । ପଶ୍ଚିମବଙ୍ଗରେ କାମ କରୁଥିବା ଶ୍ରମିକ ଏବେ ରାଜ୍ୟକୁ ଥିବା ବିଭିନ୍ନ ଗଳା ବାଟ ଦେଇ ପ୍ରବେଶ କରୁଛନ୍ତି । ଯାହା ଫଳରେ ବାଲେଶ୍ୱର, ଭଦ୍ରକ ଓ ଯାଜପୁରରେ ସଂକ୍ରମଣ ବଢିବାରେ ଲାଗିଛି । ଗତ କିଚଇ ଦିନ ମଧ୍ୟରେ ବାଲେଶ୍ୱରରେ ୮ ଟି ପଜିଟିଭ ଚିହ୍ନଟ ହୋଇଥିବା ବେଳେ , ଭଦ୍ରକରେ ୧୧ ଓ ଯାଜପୁରରେ ୭ ଟି କେସ ଦେଖାଦେଇଛି । ଭଦ୍ରକରେ ପୂର୍ବରୁ ୩ ଟି ଓ ଗତକାଲି ୫ ଜଣ ଓ ଆଜି ସକାଳୁ ୩ ଜଣ କରୋନା ସଂକ୍ରମିତ ଚିହ୍ନଟ ହୋଇଛନ୍ତି । ସେପଟେ ରାଜ୍ୟ ଭିତରକୁ ପ୍ରବେଶ ରୋକିବା ପାଇଁ ଆଜି ସରପଞ୍ଚଙ୍କ ସହିତ ମୁଖ୍ୟମନ୍ତ୍ରୀ ଆଲୋଚନା କରିବେ ।
ଗତକାଲି ଏନେଇ ମଧ୍ୟ ରାଜ୍ୟ କୋଭିଡ ମୁଖପାତ୍ର ସୁବ୍ରତବାଗଚି ସୂଚନା ଦେଇ କହିଥିଲେ ରାଜ୍ୟର ସୀମାବର୍ତ୍ତୀ ସମସ୍ତ ସ୍ଥଳଭାଗକୁ ସିଲ୍ କରିବା ସମ୍ଭବପର ନଥିବାରୁ ରାଜ୍ୟ ସରକାର ଏବେ ପଞ୍ଚାୟତ ପ୍ରତିନିଧିମାନଙ୍କ ମାଧ୍ୟମରେ ବାହାର ରାଜ୍ୟରୁ ଆସିଥିବା ଅବା ଆସିବାକୁ ଥିବା ଲୋକମାନଙ୍କ ଉପରେ ନଜର ରଖି କରୋନା ସଂକ୍ରମଣକୁ ନିୟନ୍ତ୍ରଣ କରିବାକୁ ରଣନୀତି ପ୍ରସ୍ତୁତ କରିଛନ୍ତି। ଏଯାବତ ସର୍ବମୋଟ ୧୩୭୭୫ ଟେଷ୍ଟ କରାଯାଇଥିବା ବେଳେ ସେଥି ମଧ୍ୟରୁ ୮୨ ଟି ପଜେଟିଭ କେସ ଚିହ୍ନଟ ହୋଇଛି । ସେଥି ମଧ୍ୟରୁ ଆକ୍ଟିଭ କେସ ରହିଛି ୫୧ ଏବଂ ଡିସଚାର୍ଜ ହୋଇଛନ୍ତି ୩୦ ଜଣ । କରୋନା ସଂକ୍ରମଣରେ ଜଣଙ୍କର ମୃତ୍ୟୁ ହୋଇଛି ।