ଭୁବନେଶ୍ୱର ( ଏଟିଆର ବ୍ୟୁରୋ): ଆସନ୍ତା କାଲି ଜନତା କର୍ଫ୍ୟୁ ପାଇଁ ରାଜ୍ୟରେ ଅଟୋରିକ୍ସା ଚଳାଚଳ ବନ୍ଦ ରହିବ । ଏନେଇ ଘୋଷଣା କରିଛନ୍ତି ନିଖିଳ ଓଡିଶା ଅଟୋ ଓ ଟ୍ୟାକ୍ସି ଚାଳକ ମହାସଂଘ । ଅନ୍ୟପଟେ ଜନତା କର୍ଫ୍ୟୁ ପାଇଁ ବସ ମହାସଂଘ ମଧ୍ୟ ବସ ଚଳାଚଳ ବନ୍ଦ ରଖିବାକୁ ନିଷ୍ପତ୍ତି ନେଇଛି । କରୋନା ଆକ୍ରାନ୍ତଙ୍କ ସଂଖ୍ୟା ଦେଶରେ ଦିନକୁ ଦିନ ବଢିବାରେ ଲାଗିଛି । ଏହି ଅବସରରେ ଆଜି ରାଜ୍ୟ ସରକାର ଓଡିଶାର ୫ ଜିଲ୍ଲାର ସମସ୍ତ ଗାଁ ଓ ସହରକୁ ଲକ ଡାଉନ ଘୋଷଣା କରିଛନ୍ତି ।
କେବଳ ଜରୁରୀକାଳୀନ ଅତ୍ୟାବଶ୍ୟକ ସାମଗ୍ରୀ ଦୋକାନକୁ ଛାଡି ଦେଲେ ଅନ୍ୟସବୁ ଆସନ୍ତା କାଲିଠାରୁ ମାର୍ଚ୍ଚ ୨୯ ତାରିଖ ପର୍ଯ୍ୟନ୍ତ ବନ୍ଦ ରହିବ । ମେଡିକାଲ, ଔଷଧ ଦୋକାନ, ଗ୍ରୋସରୀ ଦୋକାନ, ପନିପରିବା ମାଛ ଅଣ୍ଡା ଦୋକାନ ଆଦି ଖୋଲା ରହିବ । ବାକି ସବୁ ଦୋକାନ ବନ୍ଦ ରହିବ । ତେବେ ଲକ ଡାଉନ ଘୋଷଣା ହୋଇଥିବା ଜିଲ୍ଲା ଗୁଡିକ ହେଲା ଖୋର୍ଦ୍ଧା, ଗଞ୍ଜାମ, କଟକ, କେନ୍ଦ୍ରାପଡା ଓ ଅନୁଗୁଳ ଜିଲ୍ଲାର ସମସ୍ତ ସହର ଓ ଗାଁକୁ ଲକ ଡାଉନ କରାଯାଇଛି । ସେହିଭଳି ବାଲେଶ୍ୱର, ଭଦ୍ରକ, ରାଉରକେଲା, ପୁରୀ, ଯାଜପୁର ରୋଡ, ଯାଜପୁର ଟାଉନ ଆଦିକୁ ଲକ ଡାଉନ ଘୋଷଣା କରାଯାଇଛି ।