ଭୁବନେଶ୍ୱର (ଏଟିଆର ବ୍ୟୁରୋ): କୋରୋନା ଭାଇରସ ଆତଙ୍କ ସାରା ବିଶ୍ୱରେ ଖେଳିବାରେ ଲାଗିଛି । ତେବେ ଭାରତରେ ଏହି ଭାରଇସ ଯେପରି ନିଜର କାୟା ବିସ୍ତାର ନକରୁ ସେଥିପାଇଁ କେନ୍ଦ୍ର ସରକାର ଆଗୁଆ ସଚେତନତାମୂଳକ କାର୍ଯ୍ୟକ୍ରମ ହାତକୁ ନେଉଛନ୍ତି । କେବଳ କେନ୍ଦ୍ର ସରକାର ନୁହେଁ ରାଜ୍ୟ ମଧ୍ୟ ଏହି କୋରୋନା ଭାଇରସର ମୁକାବିଲା କରିବା ନିଜର ସମସ୍ତ ପ୍ରସ୍ତୁତି ଆରମ୍ଭ କରିସାରିଲେଣି । ତେବେ ଏହି ଭାଇରସର ମୁକାବିଲା ନିମନ୍ତେ ଉଚ୍ଚସ୍ତରୀୟ ବୈଠକ ଅନୁଷ୍ଠିତ ହୋଇଯାଇଛି । ରାଜ୍ୟ ସ୍ୱାସ୍ଥ୍ୟ ସଚିବ ନିକୁଞ୍ଜ ଧଳଙ୍କ ଅଧ୍ୟକ୍ଷତାରେ ଭୁବନେଶ୍ୱରେ କୋରୋନା ସମ୍ପର୍କିତ ଉଚ୍ଚସ୍ତରୀୟ ବୈଠକ ଅନୁଷ୍ଠିତ ହୋଇଯାଇଛି । ଏହି ବୈଠକରେ ୩୦ଟି ଜିଲ୍ଲାର ମେଡିକାଲ ଅଧୀକ୍ଷକ, ହସ୍ପିଟାଲ ମ୍ୟାନେଜର ଉପସ୍ଥିତ ଥିଲେ ।
ଗତକାଲିଠାରୁ ରାଜ୍ୟ ସରକାରଙ୍କ ନିର୍ଦ୍ଦେଶ କ୍ରମେ ଭୁବନେଶ୍ୱର ଓ ଝାରସୁଗୁଡା ବିମାନ ବନ୍ଦର ଗୁଡିକରେ ଯାତ୍ରୀମାନଙ୍କ ଉପରେ ନଜର ରଖାଯାଇଛି । ବିମାନ ବନ୍ଦର ଗୁଡିକରେ ମେସିନ ଓ ଅଥୋରିଟି ମେସିନ ଲଗାଇ ଯାଇଛି । ଯାହାଫଳରେ ଅତି ସହଜରେ କୋରୋନା ଭାଇରସ ଦ୍ୱାରା ଆକ୍ରାନ୍ତ ଯାତ୍ରୀମାନଙ୍କୁ ଚିହ୍ନଟ କରାଯାଇପାରିବ । ତେବେ କୋରୋନା ଭାଇରସର ମୁକାବିଲା କରିବା ନିମନ୍ତେ ରାଜ୍ୟ ସ୍ୱାସ୍ଥ୍ୟ ବିଭାଗ ସମ୍ପୂର୍ଣ୍ଣ ପ୍ରସ୍ତୁତ ବୋଲି ସ୍ୱାସ୍ଥ୍ୟ ସଚିବ ନିକୁଞ୍ଜ ଧଳ ନିଜ ପ୍ରତିକ୍ରିୟାରେ କହିଛନ୍ତି । କୋରୋନାର ମୁକାବିଲା ନିମନ୍ତେ କଟକ ବଡ ମେଡିକାଲରେ ସ୍ୱତନ୍ତ୍ର ବ୍ୟବସ୍ଥା କରାଯାଇଛି । ୮ଟି ଆଇ ସି ୟୁ ବେଡ ସମେତ ୪୦ ସାଧାରଣ ବେଡ ରହିଛି । ସେହିପରି କ୍ୟାପିଟାଲ ହସ୍ପିଟାଲ ମଧ୍ୟ ସ୍ୱତନ୍ତ୍ର ଆଉଟଡୋର ଖୋଲାଯାଇଛି । ଏହା ସହ କ୍ୟାପିଟାଲ ହସ୍ପିଟାଲରେ ଏକ ସ୍ୱତନ୍ତ୍ର ଡାକ୍ତର ସୁଦାମ ସାହୁଙ୍କ ନୋଡା ଅଫିସର ଭାବେ ନିୟୋଜିତ କରାଯାଇଛି ।
ଏହି ଟିମରେ ରହିଛନ୍ତି ୩ଜଣ ବିଶେଷଜ୍ଞ ଡାକ୍ତର । ସାପ୍ତାହିକ ୪ଟି ବିମାନ ଭୁବନେଶ୍ୱରରୁ କ୍ୱାଲାଇଲାମ୍ପୁର ଯାଇଥାଏ । ତେବେ କ୍ୱାଲାଇଲାମ୍ପୁରରୁ ଭୁବନେଶ୍ୱର ଆସୁଥିବା ବିମାନ ଉପରେ ବିଶେଷ ନଜର ରଖାଯାଇଛି । ବିମାନ ବନ୍ଦର ପରିସରରେ ଏକ ସ୍ୱତନ୍ତ୍ର ୨୪ ଘଣ୍ଟିଆ ଗଓ ମେଡିକାଲ ଇନସପେକ୍ସନ ରୁମ ଖୋଲାଯାଇଛି ଓ ଥର୍ମାଲ ସ୍କାନରେ ସମସ୍ତ ଯାତ୍ରୀଙ୍କୁ ଚେକିଂ କରାଯାଇଛି । ଯେଉଁ ଯାତ୍ରୀମାନଙ୍କ ଠାରେ ଥଣ୍ଡା, କାଶ, ଛିଙ୍କ ଲକ୍ଷଣ ପରିଲକ୍ଷିତ ହେଉଛଇ ସେମାନଙ୍କର ସ୍ୱାସ୍ଥ୍ୟ ପରୀକ୍ଷା କରାଯାଉଛି । ଯେଉଁ ଯାତ୍ରୀମାନେ ଗତ ୨୮ ଦିନ ମଧ୍ୟରେ ବିଦେଶରୁ ଆସିଛନ୍ତି ଏବଂ ତାଙ୍କ ଭିତରେ ଏହି ଲକ୍ଷଣ ଦେଖାଯାଉଛି ସେମାନଙ୍କୁ କୋରୋନା ଟେଷ୍ଟିଙ୍ଗ କରିବାକୁ ପରାମର୍ଶ ଦିଆଯାଇଛି।