ଭୁବନେଶ୍ୱର (ଏଟିଆର ବ୍ୟୁରୋ): ସାରା ବିଶ୍ୱକୁ ଘାରିଛି ଏବେ କୋରନା ଭାଇରସ ଚିନ୍ତା । ଚୀନରେ ନେଲାଣି ଅନେକ ଜୀବନ ଏବଂ ପ୍ରାୟ ୧ ହଜାରରୁ ଅଧିକ ଲୋକ ଏବେ ଏହି ଭାଇରସର ଆକ୍ରମଣରେ ଆକ୍ରାନ୍ତିତ ହୋଇସାରିଛନ୍ତି । ତେବେ ଚୀନରେ ଦେଖା ଦେଇଥିବା ଏହି ସଂକ୍ରମଣ ଯେପରି ଭାରତକୁ ନବ୍ୟାପିବ ସେଥିପାଇଁ କେନ୍ଦ୍ର ସରକାରଙ୍କ ପକ୍ଷରୁ ବିଭିନ୍ନ କାର୍ୟ୍ୟନୁଷ୍ଠାନ ଗ୍ରହଣ କରାଯାଉଛି । ଇତିମଧ୍ୟରେ ରାଜ୍ୟ ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ ଆଡଭାଇଜରି ଜାରି କରାଯାଇଥିବା ବେଳେ ବିମାନବନ୍ଦର ଗୁଡିକୁ ଚିଠି ଲେଖାଯାଇ ସଚେତନ ରହିବା ସହ ବାହାରୁ ଆସୁଥିବା ଯାତ୍ରୀକୁ ପରୀକ୍ଷା କରିବାକୁ ନିର୍ଦ୍ଦେଶ ପ୍ରଦାନ କରାଯାଇଛି ।
ବିଶେଷ କରି ଚୀନରୁ ଆସୁଥିବା ବିମାନର ଯାତ୍ରୀ ମାନଙ୍କୁ ଥର୍ମାଲ ସ୍କାନିଂ କରାଯାଇ ପରୀକ୍ଷା କରାଯାଉଛି ଯେ ସେମାନେ କରୋନା ଭୂତାଣୁ ଦ୍ୱାରା ସଂକ୍ରମିତ ହୋଇଛନ୍ତି କି ନାହିଁ । ବର୍ତ୍ତମାନ ସୁଦ୍ଧା କୌଣସି ଭାରତୀୟ ଏହି ଭୂତାଣୁ ଦ୍ୱାରା ଆକ୍ରାନ୍ତ ହୋଇନାହାନ୍ତି । ତେବେ କୋରାନ ଭୂତାଣୁର ମୁକାବିଲା ପାଇଁ ରାଜ୍ୟ ସରକାର ନିଜର ପ୍ରସ୍ତୁତି ଆରମ୍ଭ କରିସାରିଲେଣି । ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ ସମସ୍ତ ମେଡିକାଲ ଗୁଡିକୁ ସ୍ୱତନ୍ତ୍ର ବ୍ୟବସ୍ଥା ଗ୍ରହଣ କରାଯିବାକୁ କୁହାଯାଇଥିବା ବେଳେ ଗତକାଲି ସମସ୍ତ ପ୍ରମୁଖ ହସ୍ପିଟାଲ ଗୁଡିକ ସ୍ୱତନ୍ତ୍ର ବ୍ୟବସ୍ଥା କରାଯାଇଛି । ସେହିପରି ଆଜି ବିଜୁ ପଟ୍ଟନାୟକ ବିମାନ ବନ୍ଦରରେ ମଧ୍ୟ ଆରମ୍ଭ ହୋଇଛି ଯାଞ୍ଚ । ବିଜୁ ପଟ୍ଟନାୟକ ବିମାନ ବନ୍ଦରରେ ବାହାରୁ ଆସୁଥିବା ଯାତ୍ରୀମାନଙ୍କର ସ୍ୱାସ୍ଥ୍ୟ ପରୀକ୍ଷା ଯାଞ୍ଚ କରିବା ନିମନ୍ତେ କ୍ୟାପିଟାଲ ହସ୍ପିଟାଲ କର୍ତ୍ତୃପକ୍ଷଙ୍କ ଦ୍ୱାରା ଏକ ସ୍ୱତନ୍ତ୍ର ଟିମ ଗଠନ କରାଯାଇ ସେମାନଙ୍କ ସ୍ୱାସ୍ଥ୍ୟ ପରୀକ୍ଷା କରାଯାଉଛି ।