ନୂଆଦିଲ୍ଲୀ ( ଏଟିଆର ବ୍ୟୁରୋ): ସାମାଜିକ ଦୂରତା ରକ୍ଷା କରିବା ହେଉଛି କରୋନା ରାସ୍ତାକୁ ପ୍ରତିରୋଧ କରିବାର ଶେଷ ରାସ୍ତା । ଯେଉଁଥିପାଇଁ ପ୍ରଧାନମନ୍ତ୍ରୀ ଦେଶକୁ ୨୧ ଦିନ ପାଇଁ ଲକ ଡାଉନ ଘୋଷଣା କରିଛନ୍ତି । ଯାହା ପଛର ମୁଖ୍ୟ ଉଦ୍ଦେଶ୍ୟ ରହିଛି ଲକ ଡାଉନ ହେବା ଫଳରେ ଦେଶରେ ସାମାଜିକ ଦୂରତା ସହଜରେ ରକ୍ଷା ହୋଇ ପାରିବ । ଏବଂ ମହାମାରୀ ପରି ବ୍ୟାପୁଥିବା କରୋନା ଭାଇରସରେ ବ୍ରେକ ଲଗାଇ ହେବ । ଆଜି ପ୍ରଧାନମନ୍ତ୍ରୀଙ୍କ ମନକି ବାତ କାର୍ଯ୍ୟକ୍ରମରେ ପ୍ରଧାନମନ୍ତ୍ରୀ ମଧ୍ୟ କହିଛନ୍ତି କରୋନା ଭାଇରସକୁ ରୋକିବା ପାଇଁ ଲକ ଡାଉନ ହିଁ ରହିଥିଲା ଶେଷ ବିକଳ୍ପ । ପ୍ରଧାନମନ୍ତ୍ରୀଙ୍କ ଲକ ଡାଉନ ଘୋଷଣା ହେବା ଦିନଠାରୁ କିଛି ଲୋକ ଘରେ ଲକ ଡାଉନରେ ରହିଛନ୍ତି । । ଅବଶ୍ୟ କିଛି ଅମାନିଆ ଲୋକ ରହିଛନ୍ତି ଯେଉଁମାନେ ଲକ ଡାଉନକୁ ଉଲ୍ଲଘଂନ କରୁଛନ୍ତି ।
ତେବେ ଗତକାଲି ଘରକୁ ଫେରିଯିବା ପାଇଁ ଦିଲ୍ଲୀର ଆନନ୍ଦ ବିହାର ବସ ଟର୍ମିନାଲରେ ଯେଉଁଭଳି ଭାବେ ଦିନ ମଜୁରିଆ ଓ ଶ୍ରମିକ ମାନଙ୍କର ଭିଡ ହୋଇଥିଲା ତାହା ପୁରା ବିଶ୍ୱକୁ ଆଶ୍ଚର୍ଯ୍ୟ କରିଥିବ ନିଶ୍ଚୟ । ଏକେଉଁ ପ୍ରକାର ଲକ ଡାଉନ ତାକୁ ନେଇ କିଛି ଦେଶ ଗବେଷଣା ମଧ୍ୟ କରିଥିବେ । ହୁଏତ ସେମାନେ ଶେଷରେ ଏହି ସିଦ୍ଧାନ୍ତରେ ଉପନୀତ ହୋଇଥିବେ ଭାରତ ସବୁବେଳେ ଅଲଗା । ଭାରତୀୟ ଲକ ଡାଉନରେ ସେମିତି କିଛି ନିୟମ ରହିଥାଇ ପାରେ । ତେବେ ଏଠି ଆମେ ଦୋଷ କାହାକୁ ଦବା , କେନ୍ଦ୍ର ସରକାର, ରାଜ୍ୟ ସରକାର, ନାଁ ଲକ ଡାଉନ ନିୟମ ଭାଙ୍ଗିଥିବା ସେହି ଦିନ ମଜୁରିଆ ଶ୍ରମିକ ଲୋକମାନେ । ଏଠି କେବଳ ଗୋଟିଏ କଥା କୁହାଯାଇ ପାରେ । “ଭୋକ ବନାମ ଲୋକ’’ ଏପଟୁ ମାରିଲେ ବ୍ରହ୍ମ ହତ୍ୟା ସେପଟୁ ମାରିଲେ ଗୋ ହତ୍ୟା । ଏପଟେ କରୋନା ସେପଟେ କ୍ଷୁଧା, ମଝିରେ କେବଳ ସେହି ଦିନ ମଜୁରିଆ ମଣିଷ ମାନେ । ତେବେ ପ୍ରସଙ୍ଗ ହେଲା ଏମାନେ ତ କୋଉ ଦେଶ ବାହାରେ ନଥିଲେ? ଏମାନେ ଭାରତୀୟ । ଆମେବି ସବୁବେଳେ ସେଇ ଗୋଟିଏ ନାରା ଦେଉ ଆମେ ସମସ୍ତେ ସେଇ ଭାରତ ମାତାର ସନ୍ତାନ । ଏବେ ବିପଦ ଆସିଛି ମା କୋଳରେ ପୁଅ ଅଛି । ଯଦି ଏକଥା ଟିକ ତେବେ ଗତକାଲି ଏତେ ଲୋକ କାହିଁକି ନିଜକୁ ଦିଲ୍ଲୀରେ ଅସହାୟ ମନେକଲେ । ବର୍ଷବର୍ଷ ଧରି କାମ କରି ପେଟ ପୋଷୁଥିବା କର୍ମସ୍ଥାନକୁ କାହିଁକି ଛାଡି ଚାଲିଯିବାକୁ ବ୍ୟଗ୍ର ହୋଇ ପଡିଲେ । ଲକ ଡାଉନ ହେବା ଦିନ ଠାରୁ ହିଁ ଏମିତି କିଛି ଦୃଶ୍ୟ ଆମେ ଦେଖୁଛେ ଖବର କାଗଜ ଓ ବୈଦୁତିକ ଗଣମାଧ୍ୟମରେ ।
ଯେଉଁ ରାଜ୍ୟରେ ଯେ କୌଣସି ରାଜ୍ୟର ଲୋକ କାମ କରି ପେଟ ପୋଷୁଛନ୍ତି ସେ ରାଜ୍ୟ ସରକାରଙ୍କର କଣ ଦାୟିତ୍ୱ ନାହିଁ ସେମାନଙ୍କୁ ବିପଦ ସମୟରେ ସୁରକ୍ଷା ଦେବା । ଯଦି ସଂପୃକ୍ତ ରାଜ୍ୟମାନେ ସେମାନଙ୍କୁ ସୁରକ୍ଷା ଦେଇଥାନ୍ତେ, ବା ସେମାନଙ୍କ କଥା ବୁଝିଥାନ୍ତେ ସେମାନେ ଆଜି ନିଜକୁ ଅସହାୟ ମଣିନଥାନ୍ତେ କି ଭିଟାମାଟିକୁ ଫେରିବାକୁ ଏ ଅସମୟରେ ଜୀବନକୁ ବାଜି ଲଗାଇ ନିମୟକୁ ଭାଙ୍ଗି ନଥାନ୍ତେ । ଏ ପ୍ରସଙ୍ଗରେ ଆଲୋଚନାର ପ୍ରାସଙ୍ଗିକତା ଏଇଥି ପାଇଁ ରହିଛି ଯେ ଯେଉଁମାନେ ଗତକାଲି ହଜାର ହଜାର ସଂଖ୍ୟାରେ ଏକାଠି ହୋଇ ଭିଡ ଜମାଇଥିଲେ ସେମାନେ ସମସ୍ଥେ ସୁସ୍ଥ ? ଏକଥା କେହି ଜୋର ଦେଇ କହି ପାରିବେ ନାହିଁ । ଏମାନେ ଏବେ ସବୁ ରାଜ୍ୟକୁ ବିଛାଡି ହୋଇଯିବେ ।