ସମ୍ବଲପୁର(ଏଟିଆର ବ୍ୟୁରୋ): ସ୍ୱାସ୍ଥ୍ୟମନ୍ତ୍ରୀ ନବ ଦାସଙ୍କ ଦ୍ୱାରା ସମ୍ବଲପୁରରେ ସ୍ୱତନ୍ତ୍ର କୋଭିଡ୍ ହସ୍ପିଟାଲ ଉଦଘାଟିତ ହୋଇଛି । ଏହି ହସ୍ପିଟାଲରେ ୨୦୦ଟି ବେଡ ରହିଛି । ସେଥିମଧ୍ୟରୁ ୨୦ଟି ଆଇସିୟୁ, ୧୦ଟି ଏଚଡିୟୁ ଓ ୨ଟି ଡାଏଲିସିସ୍ ୱାର୍ଡ ରହିଛି । ସେହିପରି ୧୭୦ଟି ସାଧାରଣ ବେଡ ରହିଛି । ଏହି ଅବସରରେ ମନ୍ତ୍ରୀ କହିଛନ୍ତି ଯେ, ଆସନ୍ତା ୧୫ ଦିନ ଭିତରେ ବଲାଙ୍ଗୀର ଭୀମଭୋଇ ମେଡିକାଲ କଲେଜ କୋଭିଡ ପରୀକ୍ଷା ଆରମ୍ଭ କରାଯିବ । ତେବେ ବର୍ତ୍ତମାନ ସୁଦ୍ଧା ୨୮ଟି କୋଭିଡ ହସ୍ପିଟାଲ ରାଜ୍ୟରେ ଉଦଘାଟିତ ହୋଇଛି ।
ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ନିର୍ଦ୍ଦେଶକ୍ରମେ ରାଜ୍ୟରେ ୩୬ଟି ସ୍ୱତନ୍ତ୍ର କୋଭିଡ ହସ୍ପିଟାଲ ନିର୍ମାଣ କରାଯିବ । ତେବେ ଯୁଦ୍ଧକାଳୀନ ପରିସ୍ଥିତିରେ ଏହି ସବୁ ହସ୍ପିଟାଲ ନିର୍ମାଣ କାର୍ଯ୍ୟ କରାଯାଉଛି । ରାଜ୍ୟରେ କରୋନା ମୁକାବିଲା କରିବା ପାଇଁ ସରକାରଙ୍କ ତରଫରୁ ଏଭଳି ନିଷ୍ପତି ନିଆଯାଇଛି । ସୂଚନାଯୋଗ୍ୟ ରାଜ୍ୟରେ ବର୍ତ୍ତମାନ ସୁଦ୍ଧା ୮୨ ଜଣ କରୋନା ରୋଗୀ ଚିହ୍ନଟ ହୋଇଛନ୍ତି । ସେମାନଙ୍କ ମଧ୍ୟରୁ ୩୨ ଜଣ ସୁସ୍ଥ ହୋଇ ଘରକୁ ଫେରିଥିବା ବେଳେ ଜଣଙ୍କର ମୃତ୍ୟୁ ଘଟିଛି ।