ବ୍ରହ୍ମପୁର (ଏଟିଆର ବ୍ୟୁରୋ): ଗାଈ ପାଟିରେ ଫୁଟିଲା ବୋମା । ଏହିଭଳି ଅଭାବନୀୟ ଘଟଣା ବ୍ରହ୍ମପୁର ଜିଲ୍ଲାର ହରଡ଼ାଖଣ୍ଡି ଛକରେ ଦେଖିବାକୁ ମିଳିଛି । ସୂଚନାନୁଯାୟୀ , ଗତକାଲି ରାତିରେ ବ୍ରହ୍ମପୁର ଜିଲ୍ଲାର ବଡବଜାର ଥାନା ଅନ୍ତରର୍ଗତ ହରିଡାଖଣ୍ଡି ଗାଁ ନିକଟରେ ଗୋଟିଏ ଗାଈ ଘାସ ଚରୁଥିବା ବେଳେ ପାଖରେ ପଡିଥିବା ଏକ ବିସ୍ଫୋରକ ସାମଗ୍ରୀକୁ ନିଜ ପାଟିରେ ପୂରାଇ ଚୋବାଇ ଖାଇବାକୁ ଚେଷ୍ଠା କରିଥିଲା । ଏହି ସମୟରେ ଗାଈର ପାଟିରେ ହିଁ ବିସ୍ଫୋରକଟି ଫାଟି ଯାଇଥିଲା । ଯାହାଫଳରେ ଗାଈଟି ଅତ୍ୟନ୍ତ ଗୁରୁତ୍ୱର ହୋଇପଡିଥିଲା ।
ଉକ୍ତ ସମୟରେ ସେହି ସ୍ଥାନ ଦେଇ ଜଣେ ଯୁବକ ଯାଇଥିବା ବେଳେ ବିସ୍ଫୋରକର ଶବ୍ଦ ଶୁଣିବାରୁ ନିକଟସ୍ଥ ଥାନା ଓ ସ୍ଥାନୀୟ ଲୋକଙ୍କ ଖବର ଦେଇଥିଲେ । ଖବର ପାଇ ଘଟଣା ସ୍ଥଳରେ ଗାଈର ମାଲିକ ସମୀର କୁମାର ଆଚାର୍ଯ୍ୟ, ପ୍ରାଣୀଧନ ଡାକ୍ତର ଓ ପୋଲି ପହଞ୍ଚିଥିଲେ । ତେବେ ପ୍ରାଣୀଧନ ଡାକ୍ତର ପହଞ୍ଚି ଗାଈର ଚିକିତ୍ସା କରିବା ସମୟରେ ହିଁ ତାହାର ମୃତ୍ୟୁ ଘଟିଥିଲା । ଅନ୍ୟପଟେ ବଡବଜାର ଥାନା ଆଇଆଇସି ଘଟଣା ସ୍ଥଳରେ ପହଞ୍ଚି ବିସ୍ଫୋରକ କେଉଁଠାରୁ ଆସିଲା ତାହାର ତଦନ୍ତ ଜାରି ରଖିଛନ୍ତି । ସୂଚନାନୁଯାୟୀ, ଦୁଇ ଦିନ ତଳେ ନିକଟରେ ଥିବା ଏକ ଅଳିଆ ଗଦାରେ ବିସ୍ଫୋରଣ ହେବାରୁ ଏକ ଘୁଷୁରୀର ମୃତ୍ୟୁ ଘଟିଥିଲା ।
ତେବେ ଏହି ବିସ୍ଫୋରକ କେଉଁଠୁ ଆସୁଛି ଓ କିଏ ଏହାକୁ ଏଠାରେ ରଖୁଛି ତାହାକୁ ଖୋଜିବା ପୋଲିସ ପାଇଁ ଏବେ ମୁଣ୍ଡବିନ୍ଧାର କାରଣ ପାଲଟିଛି । ନିକଟରେ ପରିବା ଚାଷ ହୁଏ ତେଣୁ ନିଜ ଚାଷକୁ ବରହା ଆତଙ୍କରୁ ରକ୍ଷା ପାଇବା ପାଇଁ କିଛି ବିସ୍ଫୋରକ ଖଞ୍ଜା ଯାଇଥିଳା ବୋଲି ପୋଲିସ ସନ୍ଦେହ କରୁଛି । ଅନ୍ୟ ପଟେ ସାଧାରଣ ଲୋକ ଅଳିଆ ଗଦାରେ ବୋମା କେହି ଲଚାଇ ଥାଇ ପାରେ ବୋଲି ସନ୍ଦେହ କରୁଛନ୍ତି ।