ଭୁବନେଶ୍ୱର ( ଏଟିଆର ବ୍ୟୁରୋ) : ସାରା ବିଶ୍ୱରେ ଏବେ ପ୍ରତିଦିନ କରୋନା ରୋଗରେ ମୃତକଙ୍କ ସଂଖ୍ୟା ବଢିବାରେ ଲାଗିଛି । ସେ ଯାହାବି ହେଉ ପ୍ରତ୍ୟକ ଦେଶ ଏବେ ଜନଜୀବନ ସୁରକ୍ଷା ପାଇଁ ଦେଶରେ କଟକଣା ଜାରି କରିଛନ୍ତି । ସେହିଭଳି ଭାରତରେ ମଧ୍ୟ କରୋନା ରୋଗୀଙ୍କ ସଂଖ୍ୟା ବଢିବାରେ ଲାଗିଥିବା ବେଳେ ମୃତ ସଂଖ୍ୟା ୩ ରେ ପହଞ୍ଚିଛି । ଅନ୍ୟପଟେ ରାଜ୍ୟରେ ମଧ୍ୟ ଜଣେ କରୋନା ରୋଗୀ ଚିହ୍ନଟ ହୋଇଛନ୍ତି । ଅନ୍ୟପଟେ ରାଜ୍ୟ ସରକାର କରୋନାକୁ ରାଜ୍ୟ ବିପର୍ଯ୍ୟୟ ଘୋଷଣା କରିବା ପରେ ରାଜ୍ୟରେ ବିଭିନ୍ନ ଜିଲ୍ଲାରେ ଏବେ ୧୪୪ ଧାରା ଜାରି ହୋଇଛି ।
କୌଣସି ସ୍ଥାନରେ ୪ ରୁ ଅଧିକ ଲୋକ ଏକତ୍ର ନହେବାକୁ ପରାମର୍ଶ ଦିଆଯାଇଛି । ତେବେ ୧୪୪ ଧାରାକୁ ନେଇ ସାଧାରଣ ଲୋକଙ୍କ ମନରେ ଏବେ ଭୟ ଦେଖା ଦେଇଛି । କିଛି କିଛି ସ୍ଥାନରେ ଲୋକମାନେ ଅତ୍ୟାବଶ୍ୟକ ଜିନିଷ ଅଧିକ ମାତ୍ରାରେ କିଣୁଥିବା ଦେଖିବାକୁ ମିଳୁଛି । ତେବେ ଏଥିରେ ଭୟବୀତ ନହେବାକୁ କହିଛନ୍ତି ପୋଲିସ କମିଶନର ସୁଧାଂଶୁ ଷଡଙ୍ଗୀ । କମିଶନର ସୂଚନା ଦେଇ କହିଛନ୍ତି ଗ୍ରୋସରୀ ଭଳି ଅତ୍ୟାବଶ୍ୟକ ଦୋକାନ ଖୋଲା ରହିବ । କ୍ଷୀର ଓ ପନିପରିବା ଦୋକାନ ମଧ୍ୟ ଖୋଲା ରହିବ । ସେହିଭଳି ଆଇଟି ଫାର୍ମ ଗୁଡିକୁ ମଧ୍ୟ ଗାଇଡ ଲାଇନ ଜାରି କରାଯାଇଛି । ବିଦେଶ ଯାଇଥିବା କର୍ମଚାରୀ ଅଫିସ ନ ଆସିବାକୁ ନିର୍ଦେଶ ଦିଆଯାଇଛି । ସେହିଭଳି କୌଣସି କର୍ମଚାରୀଙ୍କୁ ଥଣ୍ଡା ଜ୍ୱର ହୋଇଥିଲେ ସେମାନେ ଅଫିସ ନ ଯିବାକୁ କୁହାଯାଇଛି ।