ରାୟଗଡା (ଏଟିଆର ବ୍ୟୁରୋ); ଛୋଟ ଛୋଟ ଭୁଲ ପାଇଁ ବହୁତ ବଡ ଅସୁବିଧା ହୋଇପାରେ । ଏମିତିକି ଛୋଟ ଭୁଲ ପାଇଁ ମଧ୍ୟ ଅକାଳରେ ମଣିଷର ଜୀବନ ଯାଇପାରେ । ଯାହାର ଅନେକ ଜ୍ୱଳନ୍ତ ଉଦାହରଣ ମଧ୍ୟ ପୂର୍ବରୁ ନଜିର ରହିଛି । ଏବେ ରାୟଗଡା ଜିଲ୍ଲାରୁ ଆସିଛି ଏଭଳି ଅଭିଯୋଗ । ହଷ୍ଟେଲ ଶିକ୍ଷକ ଏବଂ ଡାକ୍ତରଙ୍କ ଅବହେଳା ପାଇଁ ଛାତ୍ରୀଙ୍କ ଜୀବନ ଯାଇଥିବା ଅଭିଯୋଗ କରିଛନ୍ତି ମୃତକଙ୍କ ପରିବାର ଲୋକ । ମୃତ ଛାତ୍ରୀ ଜଣକ ହେଲେ ଜୟନ୍ତୀ ଷଢ଼ଙ୍ଗୀ । ସେ ବଡଇରୁକୁବାଡି ହଷ୍ଟେଲରେ ରହୁଥିଲେ । ଷଷ୍ଠ ଶ୍ରେଣୀରେ ପଢ଼ୁଥିଲେ ସେ । ତେବେ ମୃତ ଛାତ୍ରୀଙ୍କ ପରିବାରକୁ ସହାୟତା ଯୋଗାଇବା ପାଇଁ ସ୍ଥାନୀୟ ଲୋକ ଦାବୀ କରୁଛନ୍ତି ।
ସୂଚନା ଅନୁଯାୟୀ, ହଷ୍ଟେଲରେ ରହି ପାଠ ପଢ଼ୁଥିଲେ ଜୟନ୍ତୀ । କିଛିଦିନ ହେବ ସେ ମ୍ୟାଲେରିଆ ରୋଗରେ ପିଡିତ ଥିଲେ । ଜ୍ୱରରେ ରହି ମଧ୍ୟ ପାଠ ପଢ଼ୁଥିଲେ । ତେବେ ହଷ୍ଟେଲ କର୍ତ୍ତୃପକ୍ଷ ସବୁ ଜାଣିଥିଲେ ସୁଦ୍ଧା ଛାତ୍ରୀଙ୍କୁ ମେଡିକାଲ ନେଇ ନଥିଲେ । ଏପରି ସେଠାରେ ମଧ୍ୟ କିଛି ଚିକିତ୍ସା କରିନଥିବା ଅଭିଯୋଗ କରିଛନ୍ତି ତାଙ୍କ ପରିବାର ଲୋକ । ୮ଦିନ ପରେ ସେଠାରେ ଜ୍ୱରରେ ପଡିଥିଲେ ସୁଦ୍ଧା ପରିବାର ଲୋକଙ୍କୁ ଖବର ଦେଇନଥିଳେ ।
ତେବେ ୮ଦିନ ପରେ ଖବର ପାଇ ଛାତ୍ରୀଙ୍କ ପରିବାର ବିଦ୍ୟାଳୟରେ ପହଁଞ୍ଚି ସ୍କୁଲର ପ୍ରଧାନ ଶିକ୍ଷକଙ୍କୁ ଜଣାଇ ଝିଅକୁ ଆଣିଥିଲେ । ତେବେ ଝିଅ ଏତେ ଦିନ ଜ୍ୱରରେ ଥାଇ ମଧ୍ୟ ଜଣାଇନଥିବାରୁ ତାଙ୍କ ବାପା ଶିକ୍ଷକଙ୍କୁ କହିଥିଲେ । ତେବେ ପ୍ରଧାନ ଶିକ୍ଷକ ଛାତ୍ରୀଙ୍କ ବାପାଙ୍କୁ ୫୦୦ ଟଙ୍କା ଦେଇ ଘରକୁ ଆଣିବାକୁ କହିଥିଲେ । ହଷ୍ଟେଲ କର୍ତ୍ତୃପକ୍ଷଙ୍କ ଅବହେଳା ଉପରେ ମଧ୍ୟ ପ୍ରଶ୍ନ ଉଠିଛି । କାରଣ ସେମାନଙ୍କ ଛାତ୍ରୀଙ୍କ ସ୍ୱାସ୍ଥ୍ୟ ଅବସ୍ଥା ଖରାପ ଥିବା ଜଣାଥିଲେ ମଧ୍ୟ କାହାକୁ ଅବଗତ କରାଇନଥିଲେ କାହିଁକି ।
ତେବେ ଝିଅକୁ ହଷ୍ଟେଲରୁ ଆଣିବା ପରେ ସ୍ଥାନୀୟ ମେଡିକାଲରେ ଚିକିତ୍ସା ନିମନ୍ତେ ଭର୍ତ୍ତି କରିଥିଲେ । ଏବଂ ପରେ ଅବସ୍ଥା ଖରାପ ହେବାରୁ କୋରାପୁଟ ସ୍ଥିତ ସହିଦ ଲକ୍ଷବଚ୍ଚ ନାୟକ ମେଡିକାଲକୁ ସ୍ଥାନାନ୍ତରିତ କରାଯାଇଥିଲା । ହେଲେ ଅର୍ଥ ଅଭାବରୁ ସେଠାରେ ଚିକତ୍ସା କରିପାରିନଥିଲେ । ଶେଷରେ ବାଧ୍ୟ ହୋଇ ଭାଗ୍ୟକୁ ଆଦରି ଝିଅକୁ ଘରକୁ ଆଣୁଥିବା ବେଳେ ଅଧା ବାଟରେ ଜୀବନ ଚାଲି ଯାଇଥିଲା ।
ତେବେ ଚିକିତ୍ସା ଅବହେଳାରୁ ଝିଅର ଜୀବନ ଯାଇଥିବା ମୃତ ଛାତ୍ରୀଙ୍କ ପରିବାର ଅଭିଯୋଗ କରିଛନ୍ତି । ଅପରପକ୍ଷରେ ବିଦ୍ୟାଳୟ କର୍ତ୍ତୃପକ୍ଷଙ୍କ ଅବହେଳାକୁ ମଧ୍ୟ ଦାୟୀ କରାଯାଇଛି । ଶିକ୍ଷକ ଓ ଡାକ୍ତରଙ୍କ ଅବହେଳାରୁ ଛାତ୍ରୀଙ୍କ ମୃତ୍ୟୁ ହୋଇଥିବା ପରିବାର ଲୋକେ ଅଭିଯୋଗ ଆଣିଛନ୍ତି । ତେବେ ମୃତ ଛାତ୍ରୀଙ୍କ ପରିବାରକୁ କ୍ଷତି ପୂରଣ ଦିଆଯାଉ ବୋଲି ସ୍ଥାନୀୟ ଲୋକ କହିଛନ୍ତି ।