ବାଲେଶ୍ୱର (ଏଟିଆର ବ୍ୟୁରୋ); ଗତକାଲି ବାଲେଶ୍ୱର ଜିଲ୍ଲା ବାଲିଆପାଳରେ ଜଣେ ନାବାଳକର ସନ୍ଦେହଜନକ ମୃତ୍ୟୁକୁ ନେଇ ସ୍ଥାନୀୟ ଅଞ୍ଚଳ ଅଶାନ୍ତ ହୋଇ ପଡିଥିଲା । ଉତ୍ୟକ୍ତ ଲୋକ ବାଲିଆପାଳ ଆଇଆଇସିଙ୍କୁ ଗୋଡାଇ ଗୋଡାଇ ପିଟିଥିଲେ । ତେବେ ଆଜି ନାବାଳକର ଶବ ବ୍ୟବଛେଦ ପରେ ଆଣି ଆସିଥିବା ଦୁଇଜଣ କନେଷ୍ଟବଳଙ୍କୁ ସ୍ଥାନୀୟ ଲୋକ ଅଟକ ରଖିଛନ୍ତି । ଶବ ନେଇଥିବା ଆସିଥିବା ଆମ୍ବୁଲାନ୍ସ ଏବଂ ଡ୍ରାଇଭରଙ୍କୁ ମଧ୍ୟ ଅଟକ ରଖାଯାଇଛି । ମୃତକଙ୍କ ପରିବାର ଲୋକ ଘରେ ନଥିବାରୁ ଶବକୁ କେହି ରଖି ନାହାଁନ୍ତି । ଉତ୍ୟକ୍ତ ଲୋକ ମୃତକଙ୍କ ପରିବାରକୁ କ୍ଷତି ପୂରଣ ଦାବିରେ ରାସ୍ତାରୋକ କରିଛନ୍ତି ।
ବାଲେଶ୍ୱର ଜିଲ୍ଲା ବାଲିଆପାଳ ଥାନା ଅନ୍ତର୍ଗତ ଇଡକୋ ଛକରେ ଥିବା ଏକ ଢ଼ାବାରେ ବିଜୟ ଦଳାଇ ନାମକ ଜଣେ ନାବାଳକ କାମ କରୁଥିଲେ । ତେବେ ଗତକାଲି ଢ଼ାବାରେ ତାଙ୍କର ମୃତ ଦେହ ଝୁଲନ୍ତା ଅବସ୍ଥାରେ ଝୁଲୁଥିବା ଦେଖିବାକୁ ମିଳିଥିଲା । ତେବେ ତାଙ୍କୁ ଢ଼ାବା ମାଲିକ ହତ୍ୟା କରିବା ପରେ ଆତ୍ମହତ୍ୟାର ରୂପ ଦେବା ପାଇଁ ଏଭଳି କରିଥିବା ସ୍ଥାନୀୟ ଲୋକ ଅଭିଯୋଗ କରିଥିଲେ । ତେବେ ପୋଲିସ ବିଳମ୍ବରେ ଗତକାଲି ପହଁଞ୍ଚିଥିଲା । ଯେଉଁ କାରଣରୁ ସ୍ଥାନୀୟ ଲୋକ ରାଗି ପାଚି ଲାଲ ପଡିଯାଇଥିଲେ ।
ଡେରିରେ ପହଁଞ୍ଚିଥିବା ପୋଲିସବାବୁ ମାନଙ୍କୁ ସ୍ଥାନୀୟ ଲୋକ ଗୋଡାଇ ଗୋଡାଇ ପିଟିଥିଲେ । ଉତ୍ୟକ୍ତ ଲୋକଙ୍କ ମାଡରେ ବାଲିଆପାଳ ଥାନା ଅଧିକାରୀ ପ୍ରଭୁକଲ୍ୟାଣ ଆଚାର୍ଯ୍ୟ ଆହତ ହୋଇଥିଲେ । ଏମିତିକି ସେ ତଳେ ପଡିଯାଇଥିଲେ । ମାଡ ନମାରିବା ପାଇଁ ଲୋକଙ୍କୁ ଅନୁରୋଧ କରିଥିଲେ । ପରେ ସ୍ଥାନୀୟ ଏସପି ଆସି ଉତ୍ୟକ୍ତ ଲୋକଙ୍କୁ ବୁଝାଶୁଝା କରିଥିଲେ । ପରିବାର ଲୋକଙ୍କ ଉପସ୍ଥିତିରେ ଶବବ୍ୟଚ୍ଛେଦ କରାଯାଇ କାର୍ୟ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ଏସ୍ପି ଓ ତହସିଲଦାର ପ୍ରତିଶ୍ରୁତି ଦେଇଥିଲେ।
ରାତି ହୋଇଯାଇଥିବାରୁ ଶବବ୍ୟବଚ୍ଛେଦ ହୋଇପାରିନଥିଲା। ତେଣୁ ପରିବାର ଲୋକେ ଘରକୁ ଫେରି ଆସିଥିଲେ। ତେବେ ଆଜି ଭୋର ସାଢ଼େ ୪ଟା ବେଳେ ଦୁଇ ଜଣ କନ୍ଷ୍ଟେବଲ୍ ଆମ୍ବୁଲାନ୍ସରେ ମୃତଦେହ ଧରି ଉଲୁଡ଼ା ଗାଁରେ ପହଞ୍ଚିଥିଲେ। ଏହି ଖବର ପ୍ରଚାରିତ ହେବା ପରେ ଗାଁରେ ଉତ୍ତେଜନା ପ୍ରକାଶ ପାଇଥିଲା। ଉତ୍ତ୍ୟକ୍ତ ଲୋକେ ଆମ୍ୱୁଲାନ୍ସ ଡ୍ରାଇଭର ଓ ଦୁଇ କନ୍ଷ୍ଟେବଲଙ୍କୁ ଅଟକ ରଖିଥିଲେ। ଏପରିକି ଟାୟାଳ ଜାଳି ରାସ୍ତାରୋକ କରିଛନ୍ତି।
ସୂଚନାଯୋଗ୍ୟ, ଢାବାରେ ଦୀର୍ଘଦିନ ହେଲା ନିଶା କାରବାର ସାଙ୍ଗକୁ ଅନୈତିକ କାର୍ୟ୍ୟ ଚାଲୁଥିବା ଅଭିଯୋଗ ହୋଇ ଆସୁଥିଲାବେଳେ କୌଣସି କାରଣରୁ ବିଜୟକୁ ହତ୍ୟାକରି ଟାଙ୍ଗି ଦିଆଯାଇଥିବା ଲୋକେ ଅଭିଯୋଗ କରିଥିଲେ। ତେଣୁ ଅଭିଯୁକ୍ତମାନଙ୍କୁ ଗିରଫ ଦାବିରେ ସଂପର୍କୀୟଙ୍କ ସହ ସ୍ଥାନୀୟ ଲୋକେ ବସ୍ତା-ବାଲିଆପାଳ ମୁଖ୍ୟ ରାସ୍ତାକୁ ଟାୟାର ଜାଳି ଅବରୋଧ କରିଥିଲେ। କ୍ରମଶଃ ଲୋକଙ୍କ ଗହଳି ବଢ଼ିବା ସହ ସେଠାରେ ଉତ୍ତେଜନା ବୃଦ୍ଧି ପାଇଥିଲା।