ଜଗତସିଂହପୁର (ଏଟିଆର ବ୍ୟୁରୋ); ମାତିଛନ୍ତି ଏଟିଏମ୍ ଲୁଟେରା । ଦିନକୁ ଦିନ ବଢ଼ିବାରେ ଲାଗିଛି ଏଟିଏମ୍ ଲୁଟ୍ । ତେବେ ସବୁସ୍ଥାନରେ ସଫଳ ହେଉ ନାହାଁନ୍ତି ଲୁଟେରା । ଗତକାଲି ଜଗତସିଂହପୁର ସଦର ଥାନା ଦୁର୍ଗା ବଜାର ବ୍ୟାଙ୍କ ଅଫ୍ ବରୋଦାରେ ଏଟିଏମ୍ ମେସିନ୍ ତାଡୁଥିବା ବେଳେ ପିସିଆର ଭ୍ୟାନ ଆସିବାରୁ ଅଧା ଭାଙ୍ଗି ପଳାଇଛନ୍ତି । ବ୍ୟାଙ୍କ କର୍ମଚାରୀଙ୍କ ଉପସ୍ଥିତିରେ ତଦନ୍ତ ଚାଲୁ ରହିଛି । ତେବେ ଏଟିଏମରୁ ଟଙ୍କା ଲୁଟ ହୋଇଛି କି ନାହିଁ ତାହା ଜଣା ପଡିନାହିଁ ।
ସୋମବାର ରାତିରେ କିଛି ଦୁର୍ବୃତ୍ତ ଦୁର୍ଗାବଜାର ଛକରେ ଥିବା ବ୍ୟାଙ୍କ ଅଫ୍ ବରୋଦା ଏଟିଏମ୍ରେ ପଶି ଭାଙ୍ଗିବା ପାଇଁ ଚେଷ୍ଟା କରିଥିଲେ । ତେବେ ଏଟିଏମରେ ଲାଗିଥିବା ସେନ୍ସର ଦ୍ୱାରା ହାଇଦ୍ରାବାଦରେ ଥିବା ବ୍ୟାଙ୍କର ମୁଖ୍ୟ କାର୍ଯ୍ୟାଳୟରେ ଆଲାରାମ ବାଜିଥିଲା । ମୁଖ୍ୟ କାର୍ଯ୍ୟାଳୟରେ ଜାଣିବା ପରେ ଜଗତସିଂହପୁର ପୋଲିସକୁ ଫୋନ କରାଯାଇଥିଲା ।
ପୋଲିସ ଖବର ପାଇବା ପରେ ଏକ ପିସିଆର ଭ୍ୟାନରେ ଘଟଣାସ୍ଥଳକୁ ଯାଇ ପହଁଞ୍ଚିଥିଲେ । ତେବେ ପୋଲିସ ଭ୍ୟାନକୁ ଦେଖିବା ପରେ ଦୁର୍ବୃତ୍ତମାନେ ଫେରାର ହୋଇ ଯାଇଥିଲେ । ତେବେ ଏଟିମ୍ରୁ ଟଙ୍କା ଚୋରୀ ହୋଇଛି କି ନାହିଁ ତାହା ଜଣା ପଡିନାହିଁ । ଆଜି ସକାଳୁ ଥାନା ଅଧିକାରୀ ରଜନୀକାନ୍ତ ମିଶ୍ର ଓ ଏସଡିପିଓ ପ୍ରକାଶ ପାଲ୍ ଘଟଣାସ୍ଥଳରେ ପହଞ୍ଚି ବ୍ୟାଙ୍କ କର୍ତ୍ତୃପକ୍ଷଙ୍କ ଉପସ୍ଥିତିରେ ତଦନ୍ତ ଆରମ୍ଭ କରିଛନ୍ତି । ଏହି ଘଟଣାକୁ ନେଇ ଏବେ ସ୍ଥାନୀୟ ଅଞ୍ଚଳରେ ଚର୍ଚ୍ଚା ଆରମ୍ଭ ହୋଇଛି । ଲୁଟେରାଙ୍କୁ ଧରିବା ପାଇଁ ତନାଘନା କରୁଛି ପୋଲିସ ।