ଭୁବନେଶ୍ୱର (ଏଟିଆର ବ୍ୟୁରୋ): ଦେଶରେ କରୋନା ସଙ୍କଟ ଥମିବାରେ ନାଁ ଧରୁନି । ଏଥିପାଇଁ ୨୧ ଦିନିଆ ଲକ୍ ଡାଉନ୍ ଘୋଷଣା କରାଯାଇଛି । ଏଥିରେ ସମସ୍ତ ଦୋକାନ ବଜାର ବନ୍ଦ କେବଳ ଅତି ଆବଶ୍ୟକ ସାମଗ୍ରୀ ଦୋକାନ ଖୋଲା ରହିଛି । ଏହି ଲକ୍ ଡାଉନ୍ ପାଇଁ ମଦ ଦୋକାନ ବି ବନ୍ଦ ରହିଛି । କିନ୍ତୁ କିଛି ଲୋକ ମଦ ପିଇବା ପାଇଁ ଅନଲାଇନର ସାହାରା ନେଉଛନ୍ତି । ଯାହାର ଫାଇଦା ଉଠାଉଛନ୍ତି ଅନଲାଇନ୍ ଡକାୟତ ।
ସେହିପରି ଭୁବନେଶ୍ୱରର ଜଣେ ରାଷ୍ଟ୍ରାୟତ ବ୍ୟାଙ୍କର ମ୍ୟାନେଜର ଏହି ଅନଲାଇନ୍ ଠକେଇର ଶିକାର ହୋଇଛନ୍ତି । ଏକ ଇକମର୍ସ ସାଇଟ୍ ତାଙ୍କୁ ମଦ ଦେବ ବୋଲି କହି ଶହେ କି ଦୁଇ ଶହ ଟଙ୍କା ନୁହେଁ ଏକକାଳୀନ ୧୯୦୦୦ ଟଙ୍କା ଠକି ନେଇଛି । ଏଭଳି ଠକେଇର ଶିକାର ହେବା ପରେ ସେ କମିଶନରେଟ ପୋଲିସରେ ଏନେଇ ଅଭିଯୋଗ କରିଛନ୍ତି ।
ଲକ୍ ଡାଉନ୍ ହେବା ପରେ ସମସ୍ତ ମଦ ଦୋକାନ ବନ୍ଦ ହୋଇଥିଲା । ଏହାପରେ ଏହି ବ୍ୟକ୍ତି ଜଣଙ୍କ ମଦ ପାଇଁ ଅନଲାଇନ୍ ଯୋଗେ ସର୍ଚ୍ଚ କରିଥିଲେ । ଏହାପରେ ତାଙ୍କୁ ଏକ ଲିଙ୍କ ମିଳିଥିଲା । ସେହି ଲିଙ୍କ ରେ ସେ ଜାଣିବାକୁ ପାଇଥିଲେ କି ଭୁବନେଶ୍ୱରର ମଦ ଦୋକାନ ନାମରେଏହି ୱେବସାଇଟରେ ଘରେ ମଦ ପହଁଚାଇବାର ସୁବିଧା ଉପଲବ୍ଧ ଅଛି । କିନ୍ତୁ ଏହି ୱେବସାଇଟ୍ ଟି ସତ କି ମିଛ ଏନେଇ ସେ କୌଣସି ସତ୍ୟତା ପରଖି ନଥିଲେ । ତୁରନ୍ତ ୨୬୦ ଟି ବିଅର କିଣିବା ଲାଗି ଅର୍ଡର କରିଥିଲେ । ଏହାପରେ ତାଙ୍କୁ ଏକ ଫୋନ୍ କଲ ଆସିଥିଲା । ସେତେବେଳକୁ ସେ ଟଙ୍କା ପେମେଣ୍ଟ କରିନଥିଲେ । ଏହି ଫୋନ କଲ୍ ଜରିଆରେ ବ୍ୟକ୍ତିଙ୍କର ଡେଲିଭରୀ ଠିକଣା ପଚାରି ବୁଝିଥିଲେ ଏହି ଅନଲାଇନ୍ ଠକ । ଏହାପରେ ଅନଲାଇନ୍ ପେମେଣ୍ଟ କରିବା ପାଇଁ ତାଙ୍କ ଫୋନକୁ ଏକ ବାରକୋଡ ଆସିଥିଲା । ଏହି କୋଡ ଖୋଲିବା ମାତ୍ରେ ହିଁ ତାଙ୍କ ଆକାଉଣ୍ଟରୁ ୧୯୦୦୦ ଟଙ୍କା କଟିଯାଇଥିଲା । ଏହାପରେ ବ୍ୟକ୍ତି ଜଣକ ପୂର୍ବରୁ ଫୋନ୍ କଲ ଆସିଥିବା ନମ୍ବରରେ ଫୋନ୍ କରିବାକୁ ବହୁତ ଚେଷ୍ଟା କରିଥିଲେ, ହେଲେ ଫୋନ୍ ଆଉ ଲାଗିନଥିଲା । ଏହାପରେ ସେ ପୋଲିସର ଦ୍ୱାରସ୍ଥ ହୋଇଥିଲେ ।