ନୟାଗଡ (ଏଟିଆର ବ୍ୟୁରୋ); ରାତି ଅଧରେ ଆସିଲେ । ଖାଇବା ସରିଯାଇଛି ବୋଲି ହୋଟେଲ ମାଲିକ କହିବା ପରେ ଢ଼ାବାରେ ବ୍ୟାପକ ଭଙ୍ଗାରୁଜା କରିବା ସହିତ ବୋମା ମାଡ କରି ଫେରାର ହୋଇଗଲେ ଦୁର୍ବୃତ୍ତ । ନୟାଗଡ ଜିଲ୍ଲା ଶରଣକୂଳ ଥାନା ଗୋଡିପଡାରେ ଥିବା ମା ଦକ୍ଷିଣକାଳୀ ଢ଼ାବା ଉପରେ ହୋଇଛି ବୋମା ମାଡ । ହୋଟେଲ ମାଲିକ ଥାନାରେ ଏତଲା ଦେବା ପରେ ପୋଲିସ ଘଟଣାର ତଦନ୍ତ ଆରମ୍ଭ କରିଛି ।
ହୋଟେଲ କର୍ମଚାରୀଙ୍କ କହିବା ମୁତାବକ,ବୁଧବାର ବିଳମ୍ବିତ ରାତିରେ ୭-୮ ଜଣ ଯୁବକ ଏକ ବୋଲେରୋ ଆସିଥିଲେ । ସେମାନେ ଫୁଲ ମାଲ ପକାଇ ନିଶାରେ ଚଳଚଳ ହେଉଥିଲେ । ରାତି ଅଧରେ ଖାଇବା ପାଇଁ ମାଗିଥିଲେ । କିଛି ଖାଇବା ନାହିଁ ବୋଲି ହୋଟେଲ ମିସ୍ତ୍ରୀ କହିଥିଲେ । ଖାଇବା ନାହିଁ କହିବା ପରେ ସେମାନଙ୍କ ମୁଣ୍ଡକୁ ପିତ୍ତ ଚଢ଼ି ଯାଇଥିଲା । ଏହାପରେ ନିଶାରେ ଆରମ୍ଭ କରିଥିଲେ ଗୁଣ୍ଡାଗିରି ।
ପ୍ରଥମେ ଭାଷା ଲଗାଇ ଗାଳି କରିବା ଆରମ୍ଭ କରିଥିଲେ । ଏହାପରେ ସେମାନେ ଖାଇବା ନାହିଁ ବୋଲି କହିଥିବା ରୋଷେୟାକୁ ହୋଟେଲରେ ଥିବା ଏକ ଲୁହା ରଡରେ ମାଡ ମାରିଥିଲେ । ପ୍ରାଣ ଭୟରେ ରୋଷେୟା ଦୌଡି ପଳାଇଥିଲେ । ଏହାପରେ ଦୁର୍ବୃତ୍ତମାନେ ହୋଟେଲ ଗେଟ ଭାଙ୍ଗି ଭିତରେ ପଶି ଭଙ୍ଗା ରୁଜା ଆରମ୍ଭ କରି ଦେଇଥିଲେ । ଟିଭି,ଚେୟାର ଟେବୁଲ ଏବଂ ହୋଟେଲର ବହୁ ଆସବାବ ପତ୍ର ଭାଙ୍ଗି ଦେଇଥିଲେ ।
ଏତେ ଭାଙ୍ଗିବା ପରେ ସେମାନଙ୍କ ମନ ଶାନ୍ତି ହୋଇନଥିଲା ଯେ ଶେଷରେ କ୍ୟାସ ବାକ୍ସ ଭାଙ୍ଗି ପାଖା ପାଖି ୮ହଜାର ଟଙ୍କା ନେଇ ଯାଇଥିଲେ । ଗଲା ବେଳେ ହୋଟେଲ ଉପରକୁ ଦୁଇଟି ବୋମା ମାଡ କରି ଚାଲିଯାଇଥିଲେ । ଏହି ବୋମା ମାଡ ଯୋଗୁଁ ହୋଟେଲ ମାଲିକଙ୍କ ବାଇକ ଏବଂ କାର ନଷ୍ଟ ହୋଇଛି । ପୋଲିସ ଖବର ପାଇବା ପରେ ଘଟଣାର ତଦନ୍ତ ଆରମ୍ଭ କରିଛି ।