ଗଞ୍ଜାମ ( ଏଟିଆର ବ୍ୟୁରୋ): ଶାଶୁଘରେ ନବବଧୂଙ୍କୁ ହତ୍ୟା । ବୋହୂର ମୃତ୍ୟୁ ପରେ ଶାଶୁଘର ପରିବାର ଲୋକ ଫେରାର । ନବବଧୂଙ୍କୁ ହାତୁଡିରେ ପିଟିପିଟି ହତ୍ୟା କରାଯାଇଥିବା ଜଣା ପଡିଛି । ଏମିତି ଏକ ଅଭାବନୀୟ ଘଟଣା ଘଟିଛି ଗଞ୍ଜାମ ଜିଲ୍ଲା ଶେରଗଡ ଥାନା ଅନ୍ତର୍ଗତ ଗୋପାଳପୁର ଗ୍ରାମରେ । ସୂଚନା ଅନୁସାରେ ଗୋପାଳପୁର ଗ୍ରମରେ ଗୋଟେ ନବ ବଧୂର ମୃତଦେହ ରକ୍ତ ଜୁଡୁବୁଡୁ ଅବସ୍ଥାରେ ଗୋଟେ ଘରେ ବନ୍ଦ ହୋଇ ପଡିଥିଲା । ଶାଶୁ ଘର ପାରବାର ଲୋକେ ମଧ୍ୟ କେହି ଘରେ ନଥିଲେ । ଘରେ ବୋହୂକୁ ମାରିଦେବା ପରେ ସେମାନେ କେଉଁ ଆଡେ ଫେରାର ହୋଇଯାଥିଲେ ।
ପୁଲିସ ଏନେଇ କୌଣସି ସୂତ୍ରରୁ ଖବର ପାଇବା ପରେ ଘଟଣା ସ୍ଥଳରେ ପହଞ୍ଚି ମୃତଦେହ ଉଦ୍ଧାର କରିଛି । ମୃତ ଦେହ ପାଖରୁ ଏକ ରକ୍ତ ଜୁଡୁବୁଡୁ ହାତୁଡି ମଧ୍ୟ ପୋଲିସ ଜବତ କରିଛି । ପୋଲିସ ଶବ ଜବତ କରି ବ୍ୟବଛେଦ ପାଇଁ ପଠାଇବା ସହିତ ଅଧିକ ତଦନ୍ତ ଆରମ୍ଭ କରିଛି । ପାଖରେ ହାତୁଡି ପଡିଥିବା ବେଳେ ଶାଶୁଘର ପରିବାର ଲୋକ ଫେରାର ହୋଇଯିବାକୁ ନଜର କଲେ ଶାଶୁଘର ଲୋକେ ବୋହୂକୁ ହାତୁଡିରେ ଛେଛି ହତ୍ୟା କରିଥିବା ସନ୍ଦେହ କରାଯାଉଛି ।
ତେବେ ଶାଶୁଘର ପରିବାର ଲୋକେ କେଉଁଠି ଅଛନ୍ତି ସେ ନେଇ କୌଣସି ଠୋସ ଖବର ମିଳିନାହିଁ । ଯୌତୁକ ଜନିତ ହତ୍ୟା ହୋଇଛି ବୋଲି ସାଧାରଣରେ ଆଲୋଚନା ଜୋର ଧରିଛି । ଏନେଇ ଝିଅର ପରିବାର ଲୋକଙ୍କ ପାଖରୁ କୌଣସି ପ୍ରତିକ୍ରୟା ମିଳିପାରି ନାହିଁ । ପୋଲିସ ଏକ ଅପମୃତ୍ୟୁ ମାମଲା ରୁଜୁ କରି ତଦନ୍ତ ଆରମ୍ଭ କରିଛି ।