ମୟୂରଭଞ୍ଜ (ଏଟିଆର ବ୍ୟୁରୋ) ; କଥାରେ ଅଛି ଖିର ଖାଇବାକୁ ମନ କଲେ ଘରେ ରଖିବ ଗାଇ ଯୁଦ୍ଧ କରି ଜିତିବା ପାଇଁ ସାଙ୍ଗରେ ଦରକାର ଭାଇ । ଏଣୁ ଭାଇ ପାଇଁ ଭାଇ ବଡ ବଳ । ମାତ୍ର ଏହି ଭାଇ ଯେତେବେଳେ ଶତ୍ରୃ ହୋଇଯାଏ ସେତେବେଳେ ଜୀବନ ନେବାକୁ ମଧ୍ୟ ପଛାଇ ନଥାଏ । ଏଭଳି ଏକ ଅଭାବନୀୟ ଘଟଣା ଦେଖିବାକୁ ମିଳିଛି ମୟୂରଭଞ୍ଜ ଜିଲ୍ଲା ଗୋରୁମହିଷାଣୀ ଥାନା ଅନ୍ତର୍ଗତ ଡଙ୍ଗାପାଣି ଗାଁରେ ।
ପୂର୍ବ ଶତ୍ରୃତାକୁ କେନ୍ଦ୍ର କରି ନିଜ ଦୁଇ ପୁଅଙ୍କ ସହ ମିଶି ଭାଇ ପିଟିପିଟି ହତ୍ୟା କରିଥିବା ଦେଖିବାକୁ ମିଳିଛି । ମୃତକ ଜଣକ ହେଲେ ଶୁମଦୀ ନାଏକ । ଏହି ଖବର ପୋଲିସ ପାଖରେ ପହଁଞ୍ଚିବା ପରେ ଘଟଣା ସ୍ଥଳକୁ ଆସି ଅଭିଯୁକ୍ତ ବାପା କୁଆଁରା ନାଏକ ଏବଂ ଦୁଇ ପୁଅଙ୍କୁ ଅଟକ ରଖି ପଚରା ଉଚରା କରିଛି ପୋଲିସ । ବାରିପଦାରୁ ସାଇଣ୍ଟଫିକ ଟିମ ଆସି ତଦନ୍ତ ଜାରି ରଖିଛି ।
ମିଳିଥିବା ସୂଚନା ମୁତାବକ ଜମିବାଡି ଘଟଣାକୁ ନେଇ ଭାଇ ଭାଇ ମଧ୍ୟରେ ବହୁ ଦିନରୁ କଳହ ଲାଗିରହିଥିଲା । ତେବେ ଗତକାଲି ରାତି ୧୧ ସମୟରେ ଏହି କଳହ ଯାଇ ପହଁଞ୍ଚିଥିଲା ଶେଷ ସୀମାରେ । ଫଳରେ ଦୁଇ ପୁତୁରା ଠେଙ୍ଗାରେ ପିଟି ପିଟି କକାକୁ ମାରି ଦେଇଥିଲେ । ଏହି ଘଟଣା ଦେଖିବା ପରେ ଗାଁରେ କୋକୁଆ ଭୟ ହୋଇଯାଇଥିଲା । ପରେ ମୃତକଙ୍କ ପରିବାର ପକ୍ଷରୁ ଥାନାରେ ଏତଲା ଦେବା ପରେ ଘଟଣାସ୍ଥଳରେ ପୋଲିସ ପହଁଞ୍ଚି ୩ ଜଣଙ୍କୁ ଅଟକ ରଖିଛି ।