ବାରିପଦା (ଏଟିଆର ବ୍ୟୁରୋ); ଦୀର୍ଘ ଦିନ ହେବ ଛାତ୍ରୀ ଗର୍ଭବତୀ ହେବା ଘଟଣାକୁ ନେଇ ରାଜ୍ୟରେ ହଇଚଇ ସୃଷ୍ଟି ହୋଇଛି । ତେବେ ପୁଣି ଏଭଳି ଏକ ଘଟଣା ନଜରକୁ ଆସିଛି । ଏଥରକୁ ଜଣେ ଷଷ୍ଠ ଶ୍ରେଣୀ ଛାତ୍ରୀ ଗର୍ଭବତୀ ଥିବା ଜଣା ପଡିଛି । ଏହି ଘଟଣା ପ୍ରଘଟ ହେବା ପରେ ଚର୍ଚ୍ଚା ଜୋର ଧରିଛି । ତେବେ ଏହି ଘଟଣା ଘଟିଛି ମୟୂରଭଞ୍ଜ ଜିଲ୍ଳା ମୋରଡା ଅଞ୍ଚଳର ଏକ ଆଶ୍ରମ ସ୍କୁଲରେ । ବିଦ୍ୟାଳୟର ଜଣେ ଷଷ୍ଠ ଶ୍ରେଣୀ ଛାତ୍ରୀ ଗର୍ଭବତୀ ରହିଛି । ଏହି ଖବର ପୋଲିସରେ ଜଣାଇବା ପରେ ଏଥିରେ ସମ୍ପୃକ୍ତଥିବା ଜଣେ ଅଷ୍ଟମ ଶ୍ରେଣୀ ଛାତ୍ରକୁ ଅଟକ ରଖି ପଚରା ଉଚରା କରୁଛି ।
ସୂଚନା ମୁତାବକ ଛାତ୍ରୀଙ୍କ ଦେହ ଅସୁସ୍ଥ ହେବାରୁ ତାଙ୍କୁ ବିଦ୍ୟାଳୟ କତ୍ତୃପକ୍ଷ ମେଡିକାଲ ନେଇଥିଲେ । ତାଙ୍କୁ ବାରିପଦା ମେଡିକାଲରେ ଭର୍ତ୍ତି କରା ଯାଇଥିଲା । ସେଠାରେ ତାଙ୍କ ସ୍ୱାସ୍ଥ୍ୟ ପରୀକ୍ଷା କରିବା ପରେ ଜଣା ପଡିଥିଲା କି ସେ ଚାରି ମାସର ଗର୍ଭବତୀ ଅଛନ୍ତି । ଏହି ଖବର ଶୁଣିବା ପରେ ସମସ୍ତେ ଆଶ୍ଚର୍ଯ୍ୟ ହୋଇ ଯାଇଥିଲେ । ତେବେ ଝିଅକୁ ପଚାରି ବୁଝିବା ପରେ ସବୁ କଥା ଜଣା ପଡିଥିଲା । ଏବଂ ସେ ଏହି ଘଟଣାରେ ସମ୍ପୃକ୍ତ ଥିବା ଅଷ୍ଟମ ଶ୍ରେଣୀ ଛାତ୍ରଙ୍କ ନାଁ କହିଥିଲା । ଏହା ପରେ ବିଦ୍ୟାଳୟର ପ୍ରଧାନ ଶିକ୍ଷୟୀତ୍ରୀ ଛାତ୍ରୀଙ୍କ ନେଇ ଥାନାରେ ଏତଲା ଦେଇଥିଲେ । ଏତଲା ପାଇ ପୋଲିସ ଅଭିଯୁକ୍ତ ନାବାଳକକୁ ଅଟକ ରଖି ପଚରା ଉଚରା କରୁଛି ।
ଛାତ୍ରୀ ମା ହେବା ପ୍ରଥମ ଘଟଣା ନୁହେଁ । ଦୀର୍ଘ ଦିନ ହେବ ରାଜ୍ୟରେ ଲାଗି ରହିଛି ଏଭଳି ଲଜ୍ଜା ଘଟଣା । ସେ ଦାରିଙ୍ଗବାଡି ହେଉ ବା ଢ଼େଙ୍କାନାଳ । ଅସୁରକ୍ଷିତ ହୋଇ ପଡିଛି ନାରୀ ସମାଜ । ଦେହର ଭୋକ ମେଣ୍ଟେଇବାକୁ ଯାଇ ବିଦ୍ୟାଳୟରେ ପଢ଼ୁଥିବା ଛାତ୍ରୀଙ୍କ ସହ ସମ୍ପର୍କ ରଖୁଥିବାରୁ ଏଭଳି ଘଟୁଥିବା ସାଧାରଣରେ ଚର୍ଚ୍ଚା ହେଉଛି । ତେବେ ଦାରିଙ୍ଗବାଡିରେ ଛାତ୍ରୀ ମା ହେବା ପରେ ରାଜ୍ୟର ବିଭିନ୍ନ କୋଣ ଅନୁକୋଣରୁ ଗୋଟିଏ ପରେ ଗୋଟିଏ ଏଭଳି ଘଟଣା ଲୋକ ଲୋଚନକୁ ଆସୁଛି । ସେପଟେ ଉଭୟ କେନ୍ଦ୍ର ଏବଂ ରାଜ୍ୟ ସରକାର ମହିଳାଙ୍କ ସୁରକ୍ଷା ପାଇଁ ବିଭିନ୍ନ ଯୋଜନା ଘୋଷଣା କରୁଛନ୍ତି । ଏବଂ ନାରୀକୁ ସମ୍ମାନ ଦେଉଥିବା ଡେଙ୍ଗୁରା ଦେଉଥିବା ବେଳେ ଗୋଟିଏ ପରେ ଗୋଟିଏ ଏଭଳି ଘଟଣା ଅତ୍ୟନ୍ତ ଲଜ୍ଜା ଜନକ । ବାସ୍ତବରେ ରାଜ୍ୟରେ ନାରୀ କେତେ ସୁରକ୍ଷିତ ଓ ପ୍ରକୃତରେ ଏମାନଙ୍କ ସୁରକ୍ଷା ପାଇଁ କିଏ କେତେ ଚିନ୍ତିତ ତାହା ପ୍ରଶ୍ନବାଚୀ ସୃଷ୍ଟି କରିଛି।