ବାଲେଶ୍ୱର (ଏଟିଆର ବ୍ୟୁରୋ); ବାଲେଶ୍ୱରରେ ଦିନକୁ ଦିନ ବଢ଼ିବାରେ ଲାଗିଛି ବ୍ରାଉନ ସୁଗାର ବେପାର । ପ୍ରତିଦିନ ଏଠାରେ ଜବତ ହେଉଛି ବ୍ରାଉନ ସୁଗାର । ତେବେ ଆଜି ପୋଲିସକୁ ମିଳିଛି ବଡ ସଫଳତା । ଆଜି ପାଖା ପାଖି ୧ କେଜି ବ୍ରାଉନ ସୁଗାର ଜବତ କରିଛି । ଏହି ମାମଲାରେ ୪ଜଣଙ୍କୁ ମଧ୍ୟ ଗିରଫ କରିଛି ପୋଲିସ । ତେବେ ଏହି ବେପାରରେ ଅନ୍ୟ କେଉଁମାନେ ସମ୍ପୃକ୍ତ ଏବଂ ଚେର କେଉଁଆଡେ ମାଡିଛି ଜାଣିବା ପାଇଁ ତଦନ୍ତ ଚଳାଇଛି ପୋଲିସ ।ବାଲେଶ୍ୱର ସହରର ଦହପଡା ଏବଂ ଫୁଲାଡି ଅଞ୍ଚଳରୁ ଏହି ୧ କେଜି ବ୍ରାଉନ ସୁଗାର ଜବତ ହୋଇଛି । ଏହି ଅଞ୍ଚଳରେ ବ୍ୟାପକ ପରିମାଣରେ ଚାଲିଥିଲା ବେପାର । ରାଜ୍ୟ ବାହାରୁ ଏଠାକୁ ଆସୁଥିଲା ମାଲ । ଆଜି ୪ ଜଣ ବେପାରୀ ଏକ କାରରେ ବ୍ରାଉନ ସୁଗାର ନେଇ ଆସୁଥିଲେ । ଗିରଫ ବ୍ୟକ୍ତିମାନେ ହେଲେ ସେଖ୍ ମକସଦ୍ (୩୫),ଶେଖ୍ ରାଜୁ (୩୦),ଶେଖ୍ ଅବୁସେନ୍ (୨୮),ଶେଖ୍ ଜାମସେଦ୍ ଅଲ୍ଲୀ (୫୩)। ଏମାନଙ୍କ ଭିତରୁ ମାଷ୍ଟରମାଇଣ୍ଡ ବୋଲି କୁହାଯାଉଥିବା ସେଖ୍ ମକସଦ୍ର ଘର ଜଳେଶ୍ୱରର ରାଜପୁର ଗ୍ରାମରେ,ଆଉ ଅନ୍ୟଜଣଙ୍କ ଘର ଅରଡ଼ ବଜାରରେ ବୋଲି ଜଣାପଡ଼ିଛି।
ଜବତ ହୋଇଥିବା ବ୍ରାଉନ ସୁଗାରର ଆନୁମାନିକ ମୂଲ୍ୟ ଦେଢ଼ କୋଟି ପାଖାପାଖି ହେବ । କାର ଏବଂ ବ୍ରାଉନ ସୁଗାରକୁ ଜବତ କରିଛି ପୋଲିସ । ଏହି ସଫଳତାକୁ କେତେକ ପ୍ରଂଶସା କରୁଛନ୍ତି । ତେବେ ପ୍ରତ୍ୟେକ ଦିନ ଏଠାରେ ବ୍ରାଉନ ସୁଗାର ବେପାର ହେଉଥିବା ଅଭିଯୋଗ କରୁଛନ୍ତି ସାଧାରଣ ଲୋକ । ମାତ୍ର ପୋଲିସ ଲୋକଙ୍କ ଅଭିଯୋଗ ଅନୁଯାୟୀ ଦୃଢ଼ କାର୍ଯ୍ୟାନୁଷ୍ଠାନ ନେଉ ନଥିବା ମଧ୍ୟ ଶୁଣିବାକୁ ମିଳିଛି ।