ଯାଜପୁର (ଏଟିଆର ବ୍ୟୁରୋ); ରାତି ଅଧରେ ଘରେ ପଶିଲେ । ମାରଣାସ୍ତ୍ର ଦେଖାଇ ମାଡ ମାରି ଲୁଟି ନେଲେ ଲକ୍ଷାଧିକ ଟଙ୍କାର ସୁନା ଗହଣା ଏବଂ ଟଙ୍କା । ଯାଜପୁର ଜିଲ୍ଲା ବିଞ୍ଝାରପୁର ଥାନା ଅନ୍ତର୍ଗତ ସୁନ୍ଦରପୁର ଗାଁରୁ ଆସିଛି ଏଭଳି ଅଭିଯୋଗ । ବିଞ୍ଝାରପୁର ପୋଲିସ ଖବର ପାଇବା ପରେ ଘଟଣାର ତଦନ୍ତ ଆରମ୍ଭ କରିଛି । ସୁନ୍ଦରପୁର ଗାଁର ସୁରେନ୍ଦ୍ର ସ୍ୱାଇଁଙ୍କ ଘରୁ ଲୁଟ ହୋଇଥିବା ଜଣା ପଡିଛି । ଏହି ଘଟଣା ପରେ ଏବେ ସ୍ଥାନୀୟ ଅଞ୍ଚଳରେ ଭୟର ବାତାବରଣ ଖେଳିଯାଇଛି ।
ପୋଲିସ ସୂଚନା ଅନୁଯାୟୀ,ସୋମବାର ବିଳମ୍ବିତ ରାତିରେ ସୁରେନ୍ଦ୍ରଙ୍କ ଘରେ ସମସ୍ତେ ଶୋଇ ପଡିବା ପରେ ଝରକା ଭାଙ୍ଗି ଦୁର୍ବୃତ୍ତମାନେ ପଶିଥିଲେ । ଘରର ଆଲମାରି ଭାଙ୍ଗୁଥିବା ସମୟରେ ସୁରେନ୍ଦ୍ରଙ୍କ ସ୍ତ୍ରୀ ରେବତୀଙ୍କ ନିଦ ଭାଙ୍ଗି ଯାଇଥିଲା । ସେ ସୁରେନ୍ଦ୍ରଙ୍କୁ ଉଠାଇବା ସହିତ ପ୍ରଥମେ ନିଜେ ଯାଇ ଦୁର୍ବୃତ୍ତଙ୍କୁ ବିରୋଧ କରିଥିଲେ ।
ଦୁର୍ବୃତ୍ତମାନେ ତାଙ୍କୁ ମାଡ ମାରିଥିଲେ । ତେବେ ସେ ପୁଣିଥରେ ବିରୋଧ କରିବାରୁ ମାରଣାସ୍ତ୍ର ଦେଖାଇ ଡରାଇ ଦେଇଥିଲେ । ସୁରେନ୍ଦ୍ରଙ୍କୁ ମଧ୍ୟ ମାଡ ମାରିଥିବା ସେ ଶୁଣିବାକୁ ମିଳିଛିି । ଚୋରମାନେ ଯିବା ପରେ ପାଟିକରି ଚିକ୍ରାର କରିବା ପରେ ସାଇ ପଡିଶା ଦୈାଡି ଆସିଥିଲେ । କିନ୍ତୁ ସେତିକି ବେଳକୁ ଘରେ କଳାକନା ବୁଲାଇ ଦେଇଥିଲେ ଦୁର୍ବୃତ୍ତ । ପରେ ଥାନାରେ ଅଭିଯୋଗ କରିବା ପରେ ପୋଲିସ ଗାଁରେ ପହଁଞ୍ଚି ତଦନ୍ତ ଆରମ୍ଭ କରିଛି । ଚୋରଙ୍କୁ ଧରିବା ପାଇଁ ତନାଘନା କରୁଛି ପୋଲିସ ।