ନୟାଗଡ (ଏଟିଆର ବ୍ୟୁରୋ); ଶ୍ୱଶୁର ଘରକୁ ଯାଇଥିଲେ ଯୁବକ । ତେବେ ଗାଁ ପାଖରେ ଶ୍ୱଶୁର ଘର ହୋଇଥିବାରୁ ଗାଁର ସାଙ୍ଗ ନିଶା ଖାଇବାକୁ ଡାକିଥିଲେ । ନିଶା ଖାଇବା ପରେ ଅତି ନୃଂଶସ ଭାବରେ ପଥରରେ ଛେଚି ଯୁବକଙ୍କୁ ହତ୍ୟା କରିଥିବା ଅଭିଯୋଗ ହୋଇଛି । ତେବେ ଏଭଳି ଅମାନୁସିକ ହତ୍ୟାକାଣ୍ଡ ନୟାଗଡ ଜିଲ୍ଲା ନୂଆଗାଁ ଥାନା ଅଞ୍ଚଳରେ ଦେଖିବାକୁ ମିଳିଛି । ମୃତ ଯୁବକ ହେଲେ ଜିତୁ ନାୟକ । ନୂଆଗାଁ ଥାନା କୋରଡାଗାଁର ଲିଙ୍ଗା ନାୟକଙ୍କ ପୁଅ ବୋଲି ଜଣା ପଡିଛି । ସାଇଣ୍ଟଫିକ ଟିମ ଘଟଣାସ୍ଥଳରେ ପହଁଞ୍ଚି ତଦନ୍ତ ଆରମ୍ଭ କରିଛି । ନୂଆଗାଁ ପୋଲିସ ଜଣେ ଅଭିଯୁକ୍ତକୁ ଅଟକ ରଖି ପଚରା ଉଚରା କରୁଥିବା ବେଳେ ଅନ୍ୟଜଣେ ଫେରାରଥିବା ଜଣା ପଡିଛି ।
ଜିତୁଙ୍କ ଶ୍ୱଶୁର ଘର ନୂଆଗାଁ ଥାନା ଅନ୍ତର୍ଗତ ଖାଲମଡା ଗାଁରେ । ସେ ଦୁଇଦିନ ହେବ ଶ୍ୱଶୁର ଘରେ ଥିଲେ । ତେବେ ସୋମବାର ରାତିରେ ଖାଇସାରିବା ପରେ ତାଙ୍କ ପୈତୃକ ଗ୍ରାମ କୋରଡାର ଦୁଇ ସାଙ୍ଗ ଗଙ୍ଗା ସେଠୀ ଏବଂ ପବନା ପ୍ରଧାନ ନିଶା ଖାଇବା ପାଇଁ ଡାକିଥିଲେ । ତେବେ ସେମାନେ ନୂଆଗାଁ ୫୭ ନମ୍ବର ଜାତୀୟ ରାଜପଥ ରାସ୍ତା କଡରେ ଥିବା ତ୍ରିନାଥ ମଣ୍ଡପ ନିକଟରେ ଗଞ୍ଜେଇ ଟାଣିବା ସହିତ ମଦ ପିଇଥିବା ଅନୁମାନ କରାଯାଉଛି । କାରଣ ଘଟଣାସ୍ଥଳରେ ମଦ ବୋତଲ ଏବଂ ଗଞ୍ଜେଇ,ବିଡି ପଡିଥିବା ଦେଖିବାକୁ ମିଳିଥିଲା ।
ନିଶା ଖାଇବା ପରେ କୌଣସି କାରଣରୁ ସେମାନଙ୍କ ମଧ୍ୟରେ ଝଗଡା ହୋଇଥିଲା । ଏହାପରେ ଗଙ୍ଗା ଏବଂ ପବନାଙ୍କ ମୁଣ୍ଡକୁ ପିତ ଚଢ଼ିଯାଇଥିଲା । ସେମାନେ ଅତି ନୃଂଶସ ଭାବରେ ଜିତୁଙ୍କୁ ମୁନିଆ ପଥରରେ ଛେଚି ହତ୍ୟା କରିଥିବା ଅଭିଯୋଗ ହୋଇଛି । ଏହି ଘଟଣାରେ ନୂଆଗାଁ ପୋଲିସ ଅଭିଯୁକ୍ତ ଗଙ୍ଗାକୁ ଅଟକ ରଖି ପଚରା ଉଚରା କରୁଥିବା ବେଳେ ପବନା ଫେରାର ହୋଇଯାଇଛି । ଗତକାଲି ରାତିରେ ଏହି ଘଟଣା ଘଟିଥିବାରୁ ଏହାର କେହି ପ୍ରତ୍ୟକ୍ଷ ସାକ୍ଷୀ ନାହାଁନ୍ତିଁ ।
ତେବେ ଏହି ଘଟଣା ପରେ ନୂଆଗାଁ ପୋଲିସର ଚେତା ପଶିବ ବୋଲି ଅନୁମାନ କରାଯାଉଛି । କାରଣ ନୂଆଗାଁ ମଦ ଦୋକାନଠାରୁ ଆରମ୍ଭ କରି ପଞ୍ଚପାଣ୍ଡବ ମନ୍ଦିର ପର୍ଯ୍ୟନ୍ତ ଲୋକ ରାସ୍ତା କଡରେ ମଦ ପିଉଥିଲେ ସୁଦ୍ଧା କୌଣସି ପଦକ୍ଷେପ ନେଉନଥିବା ଦେଖିବାକୁ ମିଳୁଛି । ଯଦି କେତେବେଳେ ମନେପଡେ ତେବେ ସ୍ଥାନୀୟ ଅଞ୍ଚଳରେ ଥିବା ଢ଼ାବା ଉପରେ ଚଢ଼ଉ କରିଥାଏ । ମଦୁଆମାନେ ରାସ୍ତା କଡରେ ପୂର୍ବରୁ ମଧ୍ୟ ଗଣ୍ଡଗୋଳ କରିବା ସହିତ ଦୁର୍ଘଟଣାର ଶିକାର ହୋଇଥିବା ନଜିର ରହିଛି । ତେବେ ଆମେ ଅନୁମାନ କରୁଛୁ ଏହି ଘଟଣା ପରେ ରାସ୍ତା କଡରେ ମଦ ପିଉଥିବା ଲୋକଙ୍କୁ ସାବାଡ କରିବା ପାଇଁ ପୋଲିସ ଉଚିତ ପଦକ୍ଷେପ ନେବ ।