କେନ୍ଦ୍ରାପଡା (ଏଟିଆର ବ୍ୟୁରୋ); ପୁଣିଥରେ କେନ୍ଦ୍ରାପଡାରେ ଏନକାଉଣ୍ଟର । ପୋଲିସ ଗୁଳିରେ ଆହତ ହୋଇଛି ଦୁର୍ଦ୍ଦାନ୍ତ ଅପରାଧୀ ବିଜୟ ନାୟକ । ତାକୁ କଟକ ବଡ ମେଡିକାଲରେ ଭର୍ତ୍ତି କରାଯାଇଛି । ବିଜୟର ବାମ ଗୋଡରେ ଗୁଳି ବାଜିଥିବା ଜଣା ପଡିଛି । ପୋଲିସକୁ ଚକମା ଦେଇ ଫେରାର ହୋଇ ଯାଉଥିବା ବେଳେ ଏନକାଉଣ୍ଟର କରାଯାଇଛି । ଗତକାଲି ବିଳମ୍ବିତ ରାତିରେ ଜଳକା ନିକଟବର୍ତ୍ତୀ ୫ ନମ୍ବର ଜାତୀୟ ରାଜପଥରେ ଘଟିଛି ଏଭଳି ଘଟଣା । ଦୀର୍ଘ ଦିନର ବ୍ୟବଧାନ ପରେ କେନ୍ଦ୍ରାପଡା ପୋଲିସ ପୁଣିଥରେ ଆକ୍ସନ ମୁଡକୁ ଫେରିଛି । ପୋଲିସର ଏହି ସଫଳତାକୁ ବିଭିନ୍ନ ଦିଗରୁ ପ୍ରଂଶସା କରାଯାଇଛି ।
ବିଜୟ କେନ୍ଦ୍ରାପଡା ଜିଲ୍ଲାରେ ଜଣେ ହାର୍ଡକୋର ଅପରାଧୀ । ତା ନାଁରେ ବିଭିନ୍ନ ଥାନାରେ ୧୦୦ରୁ ଅଧିକ ମାମଲା ରହିଛି । ହତ୍ୟା,ଚୋରୀ,ଦାଦାବଟୀ ଏବଂ ଧମକ ଦେବା ଭଳି ଅପରାଧୀକ ମାମଲା ରହିଛି ବିଜୟ ନାମରେ । ୨୦୦୯ ମସିହା ଶେଖ ସୁଲେମାନ ହତ୍ୟାକାଣ୍ଡର ମାଷ୍ଟର ମାଇଣ୍ଡ ହେଉଛି ବିଜୟ । ଏହି ଘଟଣା ପରଠାରୁ ବିଜୟ ଫେରାର ହୋଇ ଯାଇଥିଲା । ନିଜ ନାମକୁ ପରିବର୍ତ୍ତନ କରି ଗଣେଷ ଦାସ କରି ଦେଇଥିଲା । ଏହି ନାମରେ ମଧ୍ୟ ଏକ ଆଧାରକାର୍ଡ ବାହାର କରିଥିଲା । ଏଥିରେ ବାଙ୍କୀ ଠିକଣା ଦେଇଥିଲା ବିଜୟ । ତେବେ ସେ ଦୀର୍ଘ ଦିନ ହେବ କେନ୍ଦ୍ରାପଡା ନଆସି ପୋଲିସ ଆଖିରେ ଧୂଳି ଦେଇ ଫେରାର ଥିଲା ।
ଗତକାଲି କେନ୍ଦ୍ରାପଡା ଆସିଥିବା ଖବର ପୋଲିସ ପାଇବା ପରେ ବିଜୟକୁ ଧରିବା ପାଇଁ ଜାଲ ବିଛାଇଥିଲା । ଏକ ସ୍ପୋସାଲ ସ୍କ୍ୱାଡ ଗଠନ କରି ବିଜୟକୁ ଧରିବା ପାଇଁ ବାହାରିଥିଲା । ଜଳକା ଛକ ନିକଟରେ ବିଜୟ ବୁଲୁଥିବା ସମୟରେ ପୋଲିସ ତାକୁ କାବୁ କରିବା ପାଇଁ ଚେଷ୍ଟା କରିଥିଲା । ପ୍ରଥମେ ବିଜୟ ପୋଲିସ ଉପରକୁ ଗୁଳି ଚଳାଇଥିଲା । ପୋଲିସର ପାଲଟା ଗୁଳିରେ ବିଜୟ ଆହାତ ହୋଇଥିବା ଜଣା ପଡିଛି । ଆହାତ ହେବା ପରେ ତାକୁ ଗିରଫ କରି କଟକ ମେଡିକାଲରେ ଚିକିତ୍ସା ପାଇଁ ଭର୍ତ୍ତି କରାଯାଇଛି ।