ଖୋର୍ଦ୍ଧା (ଏଟିଆର ବ୍ୟୁରୋ); ଖୋର୍ଦ୍ଧା ସହରରେ ଏଲ୍ଆଇସି ପଡ଼ିଆ ନିକଟରେ ଖଣି ଓ ଡ୍ରଗ୍ ମାଫିଆଙ୍କ ସହିତ କ୍ରାଇମବ୍ରାଞ୍ଚର ସ୍ପେଶାଲ ଟାସ୍କ ଫୋର୍ସ ସହିତ ଗୁଳି ବିନିମୟ ହୋଇଛି । ଜଣକୁ ଏସ୍ଟିଏଫ୍ ଗିରଫ କରିବାରେ ସଫଳ ହୋଇଥିବାବେଳେ ୩ରୁ ୪ ଜଣ ଘଟଣାସ୍ଥଳରୁ ଫେରାର୍ ହୋଇଯାଇଛନ୍ତି । ଫେରାର୍ ବ୍ୟକ୍ତିଙ୍କୁ ଧରିବା ପାଇଁ ସର୍ଚ୍ଚ ଅପରେସନ ଜାରି ରହିଛି । ଗୁଳି ବିନିମୟ ସମୟରେ କ୍ରାଇମବ୍ରାଞ୍ଚର ୩ ଜଣ ଅଧିକାରୀ ଆହତ ହୋଇଛନ୍ତି ।
ଅଭିଯୁକ୍ତମାନେ ବ୍ୟବହାର କରିଥିବା କାର୍ (ଓଡି୦୨ ଭି ୩୮୮୦)କୁ ମଧ୍ୟ ଏସଟିଏଫ୍ ଟିମ୍ ଜବତ କରିଛି। ତେବେ ଆହତମାନଙ୍କୁ ତୁରନ୍ତ ଏସ୍ଟିଏଫ୍ ଟିମ୍ ଭୁବନେଶ୍ବର ନେଇ ପଳାଇ ଯାଇଥିବାରୁ ଆହତମାନଙ୍କ ସମ୍ପର୍କରେ ବିଶେଷ ସୂଚନା ମିଳି ନାହିଁ।ତେବେ ସେମାନଙ୍କୁ ଧରିବା ପାଇଁ ତନାଘନା କରୁଛି ପୋଲିସ । ଗୁଳି ଫୁଟିବା ପରେ ଖୋର୍ଦ୍ଧା ସହରରେ ଏବେ ଭୟର ବାତାବରଣ ଦେଖିବାକୁ ମିଳିଛି ।
କ୍ରାଇମବ୍ରାଞ୍ଚ ସୂତ୍ରରୁ ପ୍ରକାଶ ଯେ ଅଭିଯୁକ୍ତ ସନ୍ଦୀପ ପ୍ରଧାନ ନାମରେ ବେଆଇନ୍ ଖଣି କାରବାର ନେଇ ଅଭିଯୋଗ ଥିଲା। ତାଙ୍କ ଗତିବିଧି ଉପରେ କ୍ରାଇମ୍ବ୍ରାଞ୍ଚ ଏସ୍ଟିଏଫ ଟିମ୍ ନଜର ରଖିଥିଲେ। ତେବେ ଆଜି ବିଳମ୍ବିତ ସନ୍ଧ୍ୟାରେ ସନ୍ଦୀପ ତାଙ୍କର ସହଯୋଗୀ ମନୋରଞ୍ଜନ ସାହୁ ଓ ଅନ୍ୟ କେତେକଙ୍କ ସହିତ ଖୋର୍ଦ୍ଧା ସହରର ଟିଏଲ୍ସି ରୋଡ୍ ଅଞ୍ଚଳରେ ଥିବା ନେଇ କ୍ରାଇମବ୍ରାଞ୍ଚକୁ ସୂଚନା ମିଳିଥିଲା।
ପୁଲିସକୁ ଦେଖି ଏହି ଗୋଷ୍ଠୀ ଖସିଯିବାକୁ ଉଦ୍ୟମ କରୁଥିବା ବେଳେ ପୁଲିସ ସେମାନଙ୍କୁ ଅଟକାଇବା ପାଇଁ ଉଦ୍ୟମ କରିଥିଲା। ଏହି ସମୟରେ ସେମାନେ ପୁଲିସକୁ ଆକ୍ରମଣ କରି ଖସିଯିବାକୁ ଚେଷ୍ଠା କରିବାରୁ ପୁଲିସ ଗୁଳି ଚଳାଇଥିଲା।