ବ୍ରହ୍ମପୁର,(ଏଟିଆର ବ୍ୟୁରୋ): ପୁଣି ଆକ୍ସନ ମୁଡରେ ଗଞ୍ଜାମ ପୁଲିସ । ବିଳମ୍ବିତ ରାତିରେ କରିଛି ଦୁଇ ଅପରାଧୀଙ୍କୁ ଏନକାଉଣ୍ଟର । ଅପରାଧୀଙ୍କୁ ଗୋଡରେ ଗୁଳି ବାଜିଥିବା ବେଳେ ସେମାନଙ୍କୁ ଏବେ ଚିକିତ୍ସା ଲାଗି ହସପିଟାଲରେ ଭର୍ତ୍ତି କରାଯାଇଛି । ସେମାନଙ୍କ ପାଖରୁ ୨ଟି ପିସ୍ତଲ, ୪ଟି ଗୁଳି ସମେତ ଏକ କାରକୁ ପୁଲିସ ଜବତ କରିଛି । ଏହାସହ ଅପରାଧୀଙ୍କ ପାଖରୁ ଦେଢ଼ଲକ୍ଷ ଟଙ୍କା ଜବତ ହୋଇଥିବା ସୂଚନା ମିଳିଛି ।
ଏନକାଉଣ୍ଟର ହୋଇଥିବା ଅପରାଧୀମାନେ ଚମାଖଣ୍ଡି ପେଟ୍ରୋଲ ପମ୍ପ ଲୁଟ ଘଟଣାରେ ପୁଲିସ ସ୍କାନରକୁ ଆସିଥିଲେ । ଉଭୟଙ୍କୁ ଧରିବା ଲାଗି ପୁଲିସ ଜାଲ ବିଛାଇଥିଲେ ମଧ୍ୟ ସେମାନେ ଧରାପଡିନଥିଲେ । ଶେଷରେ ଉଭୟଙ୍କୁ ପୁଲିସ ଏନକାଉଣ୍ଟର କରିଛି । ଘଟଣାଟି ଚମାଖଣ୍ଡି ଥାନା କଣମଣା ଗାଁରେ ଘଟିଛି । ଦୁଇ ଦୁର୍ଦ୍ଦାନ୍ତ ଅପରାଧୀମାନେ ହେଲେ ବିଶ୍ୱଜିତ ବାରିକ ଓ ମନୋଜ ସାହୁ । ପୁଲିସ ରିପୋର୍ଟ ଅନୁସାରେ, ଗତକାଲି ରାତି ପ୍ରାୟ ୨ଟା ବେଳେ ପୁଲିସ ପକ୍ଷରୁ କଣମଣା ପାଖରେ ବ୍ଲକିଂ ଚାଲୁଥିଲା । ଠିକ ଏହି ସମୟରେ ୨ ଅଭିଯୁକ୍ତ ଏକ କାରନେଇ ଆସୁଥିବା ପୁଲିସ ଜାଣିବାକୁ ପାଇଥିଲା ।
ସେମାନଙ୍କୁ ଅଟକାଇ ପୁଲିସ କାରକୁ ସର୍ଚ୍ଚ କରୁଥିବା ବେଳେ ଅଭିଯୁକ୍ତମାନେ ଅଚାନକ ପୁଲିସ ଉପରକୁ ଗୁଳିମାଡ କରି ଫେରାର ହେବାକୁ ଚେଷ୍ଟା କରିଥିଲେ । ହେଲେ ପୁଲିସ କିନ୍ତୁ ଚୂପ ବସିନଥିଲା । ଦେଇଥିଲା ପାଲଟା ଜବାବ । ଅପରାଧୀଙ୍କୁ କରିଥିଲା ଏନକାଉଣ୍ଟର । ପୁଲିସ ଗୁଳିରେ ପ୍ରଥମେ ବିଶ୍ୱିଜିତ ଆହତ ହୋଇଥିଲା । ପରେ ମନୋଜକୁ ମଧ୍ୟ ପୁଲିସ ନିଜ ଅକ୍ତିଆରକୁ ନେଇଥିଲା ।
ତେବେ ଗଞ୍ଜାମରେ ପୁଲିସର ଏଭଳି ଏନକାଉଣ୍ଟର ଏବେ ଅନ୍ୟ ଅପରାଧୀଙ୍କ ମନରେ ଛନକା ପଶାଇ ଦେଇଛି । ଯଦି ଆଗକୁ ପୁଲିସର ଏଭଳି ଅପରେସନ ଜାରି ରହେ ତେବେ ନିହାତି ଭାବେ ଅପରାଧୀଙ୍କ ଚରାଭୁଇଁ କୁହାଯାଉଥିବା ଗଞ୍ଜାମ ଶାନ୍ତ ପଡିବ ବୋଲି ସାଧାରଣରେ ଆଲୋଚନା ଚାଲିଛି । ପୁଲିସର ଏଭଳି ପଦକ୍ଷେପକୁ ଲୋକେ ବେଶ ପ୍ରଶଂସା କରିଛନ୍ତି ।