କେନ୍ଦ୍ରାପଡା (ଏଟିଆର ବ୍ୟୁରୋ); ପୁଣିଥରେ କେନ୍ଦ୍ରାପଡାରେ ଏନକାଉଣ୍ଟର । ଶିରେଇପୁର ଗୋବରଗଡିଆ କଲଭର୍ଟ ନିକଟରେ କେନ୍ଦ୍ରାପଡ଼ା ସ୍ପେଶାଲ ସ୍କ୍ୱାର୍ଡ ଏବଂ ମାର୍ଶାଘାଇ ପୋଲିସ ମିଳିତ ଏନକାଉଣ୍ଟର କରିଛି। ଏଥିରେ ଦୁର୍ଦ୍ଦାନ୍ତ ଅପରାଧୀ ଲିଟୁ ଦାସ ଓରଫ ଦେବୀ ପ୍ରସାଦ ଦାସ ଆହତ ହୋଇଛି। ତାର ଡାହାଣ ଗୋଡରେ ଗୁଳି ବାଜିଛି। ତାକୁ ପ୍ରଥମେ କେନ୍ଦ୍ରାପଡ଼ା ଜିଲ୍ଲା ମୁଖ୍ୟ ଡାକ୍ତରଖାନା ଓ ପରେ କଟକ ଏସ୍ସିବିକୁ ସ୍ଥାନାନ୍ତର କରାଯାଇଛି। ତା ନିକଟରୁ ମୋଟର ସାଇକେଲ, ବନ୍ଧୁକ ଓ ଦୁଇଟି ଖୋକା ଜବତ ହୋଇଛି।
ଗତକାଲି ରାତିରେ ଲିଟୁ ଦାସ ପୁଲିସ ଆଖିରେ ଧୁଳି ଦେଇ କେନ୍ଦ୍ରାପଡ଼ା ଜିଲ୍ଲା ମାର୍ଶାଘାଇ ଥାନା ଅନ୍ତର୍ଗତ ବୌଦ୍ଧ ଗଡ଼ାର ତିଖିରୀ ରାସ୍ତାରେ ଖସି ପଳାଉଥିବା ବେଳେ କେନ୍ଦ୍ରାପଡ଼ା ସ୍ପେଶାଲ ସ୍କ୍ଵାର୍ଡ ପୁଲିସ ଓ ମାର୍ଶାଘାଇ ପୁଲିସ ତାର ପିଛା କରିଥିଲେ। ହେଲେ ଲିଟୁ ଦାସ ପୁଲିସ ଉପରକୁ ପ୍ରଥମେ ଗୁଳି କରି ଖସିଯିବାକୁ ଚେଷ୍ଟା କରୁଥିବା ସମୟରେ ମାର୍ଶାଘାଇ ଆଇଆଇସିଙ୍କ ପାଲଟା ଆତ୍ମରକ୍ଷା ଗୁଳିରେ ଲିଟୁ ଦାସ ଆହତ ହୋଇଥିଲା। ତାର ଡାହାଣ ଗୋଡରେ ଗୁଳି ବାଜିବାରୁ ସେ ବାଇକ୍ରୁ ପଡିଯାଇଥିଲା। ପରେ ପୁଲିସ ତାକୁ ଆହତ ଅବସ୍ଥାରେ ଘଟଣାସ୍ଥଳରୁ ଗିରଫ କରି ମେଡିକାଲରେ ଭର୍ତ୍ତି କରିଥିଲା।
ଲିଟୁକୁ ପ୍ରଥମେ ମାର୍ଶାଘାଇ ମେଡିକାଲରେ ଭର୍ତ୍ତି କରାଯାଇଥିଲା । ଏହାପରେ କେନ୍ଦ୍ରାପଡା ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଥିଲା କିନ୍ତୁ ଅବସ୍ଥା ସଙ୍କଟାପର୍ଣ୍ଣ ହେବାରୁ ତାକୁ କଟକ ଏସସିବି ମେଡିକାଲକୁ ସ୍ଥାନାନ୍ତରିତ କରାଯାଇଛି । ଲିଟୁର ଘର କେନ୍ଦ୍ରାପଡ଼ା ଜିଲ୍ଲା ମାର୍ଶାଘାଇ ଥାନା ଅନ୍ତର୍ଗତ ଗରଜଙ୍ଗାରେ। ତା’ ନାମରେ ବିଭିନ୍ନ ଥାନାରେ ବହୁ ଅପରାଧିକ ମାମଲା ରହିଛି। ଗତ ୨୧ ତାରିଖରେ ତାର ସହଯୋଗୀ ଧନିଆପଡ଼ାର ସାଜନ ଦାସ ଘରେ ଗୁଳି ଫୁଟାଇ ସେ ଫେରାର ହୋଇଯାଇଥିଲା।ତା’ ନାଁରେ ଦାଦାବଟି ଆଦାୟ, ଚୋରି, ହତ୍ୟା ଧମକ, ହତ୍ୟା ଉଦ୍ୟମ, ବୋମାମାଡ଼ ପରି ବିଭିନ୍ନ ମାମଲା କେନ୍ଦ୍ରାପଡ଼ା, କଟକ, ଜଗତସିଂପୁର ଓ ଯାଜପୁର ଥାନାରେ ରହିଛି।କିଛି ମାମଲାରେ ସେ ଗିରଫ ହୋଇ ଜେଲ୍ ମଧ୍ୟ ଯାଇଛି। ଗତ ୧୬ ତାରିଖରେ ସେ ଜେଲ୍ରୁ ବାହାରିଥିଲା।