କେନ୍ଦ୍ରାପଡ଼ା ( ଏଟିଆର ବ୍ୟୁରୋ) : ଆକସନ୍ ମୁଡ଼ରେ ପୋଲିସ । ଭୁବନେଶ୍ୱର, ଗଞ୍ଜାମ ଓ କୁଜଙ୍ଗ ପରେ ଏବେ କେନ୍ଦ୍ରାପଡ଼ା ପୋଲିସ ଆକସନ୍ ମୁଡ଼ରେ । ଦୁର୍ଦ୍ଦାନ୍ତ ଅପରାଧୀ ସେକ୍ ମେହେତାବକୁ ଏନକାଉଣ୍ଟର କରିଛି କେନ୍ଦ୍ରାପଡା ସଦର ପୋଲିସ । ମଙ୍ଗଳବାର ଭୋରୁ କେନ୍ଦ୍ରାପଡା-ଗଣ୍ଡାଖିଆ ରାସ୍ତାର ଏରାଠାରେ ଏହି ଏନକାଉଣ୍ଟର ହୋଇଛି । ମେହେତାବ କେନ୍ଦ୍ରାପଡା ସହରକୁ ଆସୁଥିବା ଖବର ପାଇ ଥିଲା ପୋଲିସ । ଓ ଏହା ପରେ ସଦର ପୋଲିସ ଓ ସ୍ପେଶାଲ ସ୍କ୍ବାଡ୍ ମିଳିତ ଭାବେ ଚଢାଉ କରି ଏନ୍କାଉଣ୍ଟର୍ କରିଥିଲା । ପ୍ରଥମେ ମେହେତାବ୍ ଓ ତା’ର ଜଣେ ସହଯୋଗୀ ପୁଲିସ ଉପରକୁ ୪ ରାଉଣ୍ଡ ଗୁଳି ଫାୟାରିଂ କରି ଖସିଯିବାକୁ ଉଦ୍ୟମ କରିଥିଲା ବେଳେ ପୁଲିସ୍ ପାଲଟା ଗୁଳି ଚଳାଇଥିଲା। ପୁଲିସ ଗୁଳିରେ ମେହେତାବ୍ ଆହତ ହୋଇଛି। ତା’ର ଦୁଇ ଆଣ୍ଠୁରେ ଗୁଳି ବାଜିଛି। ଗୁରୁତର ଅବସ୍ଥାରେ ତାକୁ କଟକ ସ୍ଥାନାନ୍ତର କରାଯାଇଛି।
ତେବେ ମେହେତାବକୁ ପୁଲିସ୍ କାବୁ କରିଥିବା ବେଳେ ତାର ସହଯୋଗୀ ଫେରାର୍ ହୋଇଯାଇଛି। ମେହେତାବଠାରୁ ପୋଲିସ ଗୋଟିଏ ୯ ଏମଏମ ପିସ୍ତଲ, ୯ ହଜାର ଟଙ୍କା, ଦୁଇଟି ମୋବାଇଲ ଫୋନ ଓ ଗୋଟିଏ ବାଇକ୍ ଜବତ କରିଛି । ସେକ୍ ମେହେତାବ କେନ୍ଦ୍ରାପଡ଼ାରେ ଘଟିଥିବା ବାବୁଲି ମହାରଣା ଗୁଳିକାଣ୍ଡ ଘଟଣାରେ ମୁଖ୍ୟ ଅଭିଯୁକ୍ତ ବୋଲି ଜଣାପଡିଛି । ଏହାସହ ମେହେତାବ୍ ନାମରେ କେନ୍ଦ୍ରାପଡ଼ା ଜିଲାରେ ପ୍ରାୟ ୮ ରୁ ଅଧିକ ମାମଲା ରହିଥିବା ବେଳେ ବାଲେଶ୍ୱର, ଭଦ୍ରକ, ଯାଜପୁର, ଜଗତ୍ସିଂହପୁର ପ୍ରଭୃତି ଠାରେ ପ୍ରାୟ ୩୦ ରୁ ଅଧିକ ମାମଲା ଥିବା ଜଣାପଡ଼ିଛି । ଡକାୟତି, ଲୁଟ୍, ଦାଦା ବଟି ଆଦାୟ, ପୁଲିସ ଉପରକୁ ଗୁଳି ଚଳାଇବା ପ୍ରଭୃତି ମାମଲରେ ଦୀର୍ଘଦିନ ଧରି ମେହେତାବ୍ ଫେରାର୍ ଥିଲା।
ସୂଚନାଯୋଗ୍ୟ, ଏହା ପୂର୍ବରୁ ଗଞ୍ଜାମ ଜିଲ୍ଲା ଆସିକା ଥାନା ଅନ୍ତର୍ଗତ ଚାରିମହଲ ଛକ ନିକଟରେ ପୁଲିସ ଏନ୍କାଉଣ୍ଟରରେ ଦୁର୍ଦ୍ଦାନ୍ତ ଅପରାଧୀ ଗୁରୁପ୍ରସାଦ ସ୍ୱାଇଁ ଆହତ ହୋଇଥିଲା। ସେହିପରି କୁଜଙ୍ଗ ପୋଲିସ ଏନ୍କାଉଣ୍ଟରରେ ଦୁର୍ଦ୍ଦାନ୍ତ ଡନ୍ ଆହତ ହୋଇଥିଲା । ଓ ଏହା ପୂର୍ବରୁ ଭୁବନେଶ୍ୱର କମିଶନରେଟ୍ ପୋଲିସ ଦୁଇ ଦିନରେ ୫ ଜଣଙ୍କୁ ଏନ୍କାଉଣ୍ଟର କରିଥିଲା ।