ଭୁବନେଶ୍ୱର (ଏଟିଆର ବ୍ୟୁରୋ); ଫିଲ୍ମରେ ଅଭିନୟ କରିବାର ସୁଯୋଗ ଦେବା ନାଁରେ ଯୁବତୀଙ୍କ ସହ ଅସଦାଚରଣ କରିଥିବା ଅଭିଯୋଗରେ ଜଣେ ଯୁବକଙ୍କୁ ଗିରଫ କରିଛି ସହୀଦନଗର ପୋଲିସ । ଅଭିଯୁକ୍ତକୁ ଗିରଫ କରି କୋର୍ଟ ଚାଲାଣ କରାଯାଇଛି । ଗିରଫ ଅଭିଯୁକ୍ତ ହେଲା ଜେଡ ଡି ଅବିନାଶ । ଅଭିଯୋଗ ଆଣିଥିବା ଯୁବତୀ ଜଣକ କଟକର ବୋଲି ଜଣା ପଡିଛି । ଏହି କାଷ୍ଟିଂ କାଉଚ ଘଟଣାକୁ ନେଇ ଏବେ ସବୁଆଡେ ଆରମ୍ଭ ହୋଇଛି ଚର୍ଚ୍ଚା ।
ସୂଚନା ଅନୁଯାୟୀ, ସୋସିଆଲ ମିଡିଆରେ ଅଭିଯୁକ୍ତ ଏବଂ ଯୁବତୀଙ୍କ ମଧ୍ୟରେ ପ୍ରଥମେ କଥାବାର୍ତ୍ତା ହୋଇଥିଲା । କିଛିଦିନର କଥାବାର୍ତ୍ତା ପରେ ଉଭୟଙ୍କ ମଧ୍ୟରେ ଭଲ ସମ୍ପର୍କ ଗଢ଼ି ଉଠିଥିଲା । ଏବଂ ଉଭୟ ଉଭୟଙ୍କ ବିଷୟରେ ସବୁକିଛି ସେୟାର ମଧ୍ୟ କରିଥିଲେ । ତେବେ ଯୁବତୀ ଜଣକ ମଡେଲିଂ କରୁଥିବା ଜାଣିବା ପରେ ତାଙ୍କୁ ଫିଲ୍ମରେ ଅଭିନୟ କରାଇଦେବାର ସୁଯୋଗ ଦେବେ ବୋଲି କହିଥିଲା ଅବିନାଶ । ତେବେ ଫଟୋସୁଟ କରିବା ପାଇଁ ତାଙ୍କୁ ଡାକିଥିଲା ।
ଫଟୋ ଉଠାଇବା ବେଳେ ଅବିନାଶ ଯୁବତୀଙ୍କୁ ବୁଲେଇ ବଙ୍କେଇ କମ୍ପରମାଇଜ କରିବା କଥା କହିଥିଲେ । ତେବେ ସେ ପ୍ରଥମେ କିଛି ବୁଝିପାରିନଥିଲେ । ଶେଷରେ ସେ କହିଥିଲା କି ପୁରା ଉଲଗ୍ନ ହୋଇ ର୍ୟାମ୍ପରେ ଚାଲିବା ପାଇଁ । ତେବେ ଯୁବତୀ ମନା କରିଥିଲେ । ଏହାପରେ ଜୋର ଦବରଦସ୍ତି ଷ୍ଟୁଡିଓ ଭିତରେ ଯୁବତୀଙ୍କୁ ଅସଦାଚରଣ ମଧ୍ୟ କରିଥିବା ସେ ଅଭିଯୋଗ କରିଛନ୍ତି । ଫିଲ୍ମରେ ଅଭିନୟ କରିବା ପାଇଁ ହେଲେ କମ୍ପରମାଇଜ କରିବା ପାଇଁ ହେବ ବୋଲି ମଧ୍ୟ ଶେଷରେ କହିଥିଲା ।
ଯଦି ଫିଲ୍ମ ଇଣ୍ଡଷ୍ଟିରେ ତିଷ୍ଠିବାର ଅଛି ତେବେ ସବୁକିଛି ଆଡଜଷ୍ଟ କରିବା ପାଇଁ ପଡିବ ବୋଲି ମଧ୍ୟ କହିଥିଲା । ତେବେ ଯୁବତୀ ଜଣକ କିଛି ଶୁଣିବାକୁ ବାଧ୍ୟ ନଥିଲେ । ସେ ସହୀଦନଗର ଥାନାରେ ଆସି ଏକ ଲିଖିତ ଅଭିଯୋଗ କରିଥିଲେ । ଏହାପରେ ପୋଲିସ ତାଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି । ଏହି ଘଟଣା ଏବେ ପୁଣିଥରେ କାଷ୍ଟିଂ କାଉଚକୁ ମନେ ପକାଇ ଦେଇଛି । କିଛିଦିନ ହେବ ଏଭଳି ଅଭିଯୋଗ ଆସିନଥିଲା ।