ଭୁବନେଶ୍ୱର,(ଏଟିଆର ବ୍ୟୁରୋ): ହରଦମ ଆସୁଥିଲା । ଚୁନ ଲଗାଇ ପଳାଉଥିଲା । ଯାହାକୁ ଧରିବାକୁୁ ନାକେଦମ ହୋଇଥିଲା ପୁଲିସ । ଏଣେ ତା’ ଉତ୍ପାତରେ ଥର ହର ହେଉଥିଲେ ସୁନା ବ୍ୟବସାୟୀ । ସିଧା କହିବାକୁ ଗଲେ ଠକାମୀ କରି ଫେରାର ହେବାରେ ଓସ୍ତାଦ ଥିବା ଚାଲ ସୋଭରାଜକୁ ଏବେ କାବୁ କରି ଖାରବେଳନଗର ଥାନା ପୁଲିସ । ତା’ ପାଖରୁ ବହୁ ସୁନା ଅଳଙ୍କାର ଜବତ କରିଛି ।
ଗିରଫ ଅଭିଯୁକ୍ତ ବାଙ୍କି ଅଁଚଳର ଗୁଣ୍ଡିଚା କର । ପୁଲିସ ରିପୋର୍ଟ ଅନୁସାରେ, ଗୁଣ୍ଡିଚା ପ୍ରଥମେ ଟାର୍ଗେଟ କରିଥିଲା ଲାଲଚାନ୍ଦ ଜୁଏଲାରୀକୁ । ଭେଜାଲ ସୁନା ସହ ଭେଜାଲ ଷ୍ଟାମ୍ପ ଲଗାଇ ସୁନା ବିକିବାକୁ ଚାହୁଁଥିବା ବେଳେ ଗୁଣ୍ଡିଚା ଯଦିଓ ପ୍ରଥମେ ସଫଳ ହୋଇନଥିଲା କିନ୍ତୁ ସେ ତା’ ମିଶନ ବନ୍ଦ କରିନଥିଲା । ପରେ ସିଟି ଚନ୍ଦନକୁ ଟାର୍ଗେଟ କରୁଥିବା ବେଳେ ପୁଲିସ ତାକୁ କାବୁ କରିଥିଲା । ତେବେ ଗୁଣ୍ଡିଚା ଏଭଳି ଅନେକ ଦୋକାନରେ ସୁନାର ଲେପ ଥିବା ନକଲି ସୁନା ବିକ୍ରି କରି ସମସ୍ତଙ୍କୁ ଭକୁଆ ବନାଉଥିଲା । ଯାହା ତାକୁ ଏବେ ମହଙ୍ଗା ପଡିଛି ।