ଗଞ୍ଜାମ (ଏଟିଆର ବ୍ୟୁରୋ); ରାତି ଅଧରେ ଗୁଟଖା ବୋଝେଇ ଗାଡିକୁ ଅଟକାଇଲେ ଦୁର୍ବୃତ୍ତ । ଗାଡି ଅଟକିବା ପରେ ଡ୍ରାଇଭରଙ୍କୁ ନିସ୍ତକୁ ମାଡ ମାରିବା ପରେ ଗାଡିରେ ଥିବା ପାଖା ପାଖି ୧୨ ଲକ୍ଷ ଟଙ୍କାର ଗୁଟଖା ଲୁଟିନେଲେ ଦୁର୍ବୃତ୍ତ । ତେବେ ଏଭଳି ଅପରାଧ ଘଟିଛି ଗଞ୍ଜାମ ଜିଲ୍ଲା ଆସ୍କା ବିଜୁ ପଟ୍ଟନାୟକ ଛକ ନିକଟରେ । ଗତକାଲି ବିଳମ୍ବିତ ରାତିରେ ଦୁର୍ବୃତ୍ତମାନେ ଭିଆଇଛନ୍ତି ଏଭଳି ଅଭାବନୀୟ କାଣ୍ଡ । ମାଡ ଖାଇବା ପରେ ଆହତ ଡ୍ରାଇଭର ଥାନାରେ ଅଭିଯୋଗ କରିଛନ୍ତି । ଏହି ଅଭିଯୋଗ ଆଧାରରେ ପୋଲିସ ତଦନ୍ତ ଆରମ୍ଭ କରିଛି ।
ପୋଲିସ ସୂଚନା ମୁତାବକ ବୁଧବାର ବିଳମ୍ବିତ ରାତିରେ ବ୍ରହ୍ମପୁରରୁ ନୟାଗଡ ଗୁଟଖା ନେଇ ଆସିଥିବା ଏକ ଗାଡିକୁ ଆସ୍କା ବିଜୁ ପଟ୍ଟନାୟକ ଛକ ନିକଟରେ ଦୁର୍ବୃତ୍ତମାନେ ଅଟକାଇଥିଲେ । ଗାଡି ଅଟକିବା ପରେ ହଠାତ ଡ୍ରାଇଭରଙ୍କ ଉପରେ ଆକ୍ରମଣ କରିଥିଲେ ଦୁର୍ବୃତ୍ତ । ପରେ ଗାଡି ପଛପଟ ତାଲା ଖୋଲି ଗାଡିରେ ଥିବା ଗୁଟଖାକୁ ଲୁଟ କରିଥିଲେ । ଲୁଟ କରିଥିବା ଗୁଟଖାର ଆନୁମାନିକ ମୂଲ୍ୟ ୧୨ ଲକ୍ଷ ହେବ ବୋଲି କହିଛନ୍ତି ଡ୍ରାଇଭର । ତେବେ ଗୁଟଖା ନେବା ବେଳେ ଡ୍ରାଇଭର ବିରୋଧ କରିବାରୁ ଡ୍ରାଇଭରଙ୍କୁ ନିର୍ଦ୍ଧୁମ ଛେଚିଛନ୍ତି ଦୁର୍ବୃତ୍ତ । ପରେ ଲହୁ ଲୁହାଣ ହୋଇ ଡ୍ରାଇଭର ଯାଇ ଥାନାରେ ପହଁଞ୍ଚି ଏତଲା ଦେଇଛନ୍ତି । ଏହି ଅଭିଯୋଗ ଆଧାରରେ ପୋଲିସ ତଦନ୍ତ ଆରମ୍ଭ କରିଛି । ପୂର୍ବରୁ ଏଇ ଗାଡି ବହୁତ ଥର ଗୁଟଖା ନେଇଥିଲେ ସୁଦ୍ଧୁ କେବେବି କିଛି ଅସୁବିଧା ହୋଇନଥିଲା । ତେବେ କେହି ଜାଣିବା ଶୁଣିବା ଲୋକ ଏଭଳି କରିଥାଇପାରେ ବୋଲି ପୋଲିସ ଅନୁମାନ କରିଛି ।