କେନ୍ଦ୍ରାପଡା (ଏଟିଆର ବ୍ୟୁରୋ); ସଇତାନ ସ୍ୱାମୀ । ଟଙ୍କା ନଦେବାରୁ ସ୍ତ୍ରୀକୁ ପୋଡିଦେଲା ନୃଂଶସ ସ୍ୱାମୀ । କେନ୍ଦ୍ରାପଡା ଜିଲ୍ଲା ମାର୍ଶାଘାଇ ଥାନା ମହାକାଳପଡା ବ୍ଳକ ଅଧିନରେ ଥିବା ସାନଗାଁରେ ଘଟିଛି ଏଭଳି ଅଭାବନୀୟ ଘଟଣା । ମହିଳାଙ୍କ ଭାଇ ଥାନାରେ ଏତଲା ଦେଇଛନ୍ତି । ପୋଲିସ ଏହି ଏତଲା ଆଧାରରେ ମାମଲା ରୁଜୁ କରିଛି । ଅଭିଯୁକ୍ତ ପଦନ ବେହେରା ଫେରାର ଅଛି । ପୋଲିସର ତନାଘନା । ଆହତ ମହିଳାଙ୍କ ନାମ ହେଲା ଭଗବତୀ ବେହେରା ।
ପଇସାପତ୍ରକୁ ନେଇ ସବୁବେଳେ ପଦନ ଏବଂ ଭଗବତୀଙ୍କ ମଧ୍ୟରେ ଝଗଡା ହୋଇଥାଏ । ଦୁଇଦିନ ତଳେ ଭଗବତୀଙ୍କୁ ପଦନ ପଇସା ମାଗିଥିଲେ । ସେ ପଇସା ନଦେବାରୁ ଭଗବତୀଙ୍କୁ ମାଡ ମାରିବା ସହିତ ଖାଇବା ପାଇଁ ମଧ୍ୟ ଦେଇନଥିଲେ । ଆଜି ସକାଳେ ପୁଣିଥରେ ସେହି କଥାକୁ ନେଇ ଝଗଡା ହୋଇଥିଲା । ପରେ ସମ୍ପର୍କ ନଦେଖି ସ୍ତ୍ରୀ ଉପରେ କିରୋସିନ ଢାଳି ଅତି ନୃଂଶସ ଭାବରେ ନିଆଁ ଲଗାଇ ଦେଇଥିଲା ।
ପଡୋଶୀ ଭଗବତୀଙ୍କୁ ଉଦ୍ଧାର କରି କେନ୍ଦ୍ରାପଡା ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରିଥିଲେ । ଖବର ପାଇବା ପରେ ଭଗବତୀଙ୍କ ଭାଇ ପ୍ରସାନ୍ତ ମାର୍ଶାଘାଇ ଥାନାରେ ଏତଲା ଦେଇଛନ୍ତି । ପୋଲିସ ଅଭିଯୁକ୍ତକୁ ଧରିବା ପାଇଁ ତନାଘନା କରୁଛି । ସୂଚନା ଅନୁଯାୟୀ,ଉଭୟଙ୍କ ବାହାଘରକୁ ୧୫ ବର୍ଷ ପୁରିଥିବା ବେଳେ ଦୁଇଟି ଛୁଆ ମଧ୍ୟ ଅଛନ୍ତି । ସେମାନଙ୍କର ୧୪ ବର୍ଷର ପୁଅ ଥିବା ବେଳେ ୧୨ ବର୍ଷର ଝିଅଟିଏ ମଧ୍ୟ ଅଛି ।