ସମ୍ବଲପୁର (ଏଟିଆର ବ୍ୟୁରୋ); ନୃଂଶସ ସ୍ୱାମୀର କରାଳ ରୂପ । ସ୍ତ୍ରୀକୁ ଅମାନୁଷିକ ଭାବରେ ଠେଙ୍ଗାରେ ପିଟି ପିଟି ମାରିଦେଲା । ପରେ ଥାନାରେ ଆସି ପୋଲିସ ନିକଟରେ ଆତ୍ମସମର୍ପଣ କରିଛି । ତେବେ ଏଭଳି ଅଭାବନୀୟ ଘଟଣା ଘଟିଛି ସମ୍ବଲପୁର ଜିଲ୍ଲା ଜମନକିରା ଥାନା ଅନ୍ତର୍ଗତ ଲେଦିମହୁଲ ଗାଁରେ । ଏହି ଗ୍ରାମର ଉପେନ୍ଦ୍ର ଦୀସ୍ତାଙ୍କ ସ୍ତ୍ରୀ ବିନୋଦିନୀଙ୍କୁ ହତ୍ୟା କରିଛନ୍ତି । ପୋଲିସ ଖବର ପାଇବା ପରେ ଗାଁରେ ପହଁଞ୍ଚି ମୃତ ଦେହକୁ ଉଦ୍ଧାର କରି ବ୍ୟବଛେଦ ପାଇଁ ପଠାଇ ଦେଇଛି ।
ପୋଲିସ ସୂଚନା ମୁତବାକ ସ୍ୱାମୀ ସ୍ତ୍ରୀଙ୍କ ମଧ୍ୟରେ ସବୁବେଳେ କଳହ ଲାଗି ରହିଥିଲା । ତେବେ ଗତକାଲି ରାତିରେ କୌଣସି କାରଣକୁ ନେଇ ଦୁହିଁଙ୍କ ମଧ୍ୟରେ ଝଗଡା ହୋଇଥିଲା । ପ୍ରଥମେ ପାଟିତୁଣ୍ଡ ଏବଂ ପରେ ହାତାହାତି ହୋଇଥିଲେ । ତେବେ ଏଥିରେ ଉତକ୍ଷିପ୍ତ ହୋଇପଡିଥିଲେ ଉପେନ୍ଦ୍ର । ଶେଷରେ ତାଙ୍କ ମୁଣ୍ଡକୁ ପିତ ଚଢ଼ିଯାଇଥିଲା । ସେ ନିଜ ଧର୍ମ ପତ୍ନୀଙ୍କୁ ଘରେ ଥିବା ଏକ ଠେଙ୍ଗାରେ ପିଟି ପିଟି ମାରି ଦେଇଥିଲେ । ମାରିବା ପରେ ଘର ଛାଡି ଫେରାର ହୋଇଯାଇଥିଲେ ଉପେନ୍ଦ୍ର । ଏହି ଘଟଣାକୁ ନେଇ ଗାଁରେ ବହୁ ଚର୍ଚ୍ଚା ହୋଇଥିଲା । ତେବେ ଆଜି ସକାଳୁ ଉପେନ୍ଦ୍ର ନିଜେ ଆସି ପୋଲିସ ଆଗରେ ଆତ୍ମସମର୍ପଣ କରିଥିଲେ ।
ଏହାପରେ ପୋଲିସ ଘଟଣାସ୍ଥଳରେ ପହଁଞ୍ଚି ମୃତ ଦେହକୁ ଉଦ୍ଧାର କରି ବ୍ୟବଛେଦ ପାଇଁ ପଠାଇ ଦେଇଛି । ଅଭିଯୁକ୍ତ ଉପେନ୍ଦ୍ରକୁ ପୋଲିସ ଅଟକ ରଖି ପଚରା ଉଚରା କରିବା ସହିତ ଘଟଣାର ତଦନ୍ତ ଆରମ୍ଭ କରିଛି । ବ୍ୟବଛେଦ ରିପୋର୍ଟ ଆସିବା ପରେ ଅଭିଯୁକ୍ତ ଉପରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି ପୋଲିସ ପକ୍ଷରୁ ସୂଚନା ଦିଆ ଯାଇଛି ।