ବାଲେଶ୍ୱର (ଏଟିଆର ବ୍ୟୁରୋ); ମୁହଁରେ କଳା କପଡା ବାନ୍ଧି ଦୋକାନରେ ପଶିଲେ । ଲୁଟ କରିବା ପାଇଁ ଉଦ୍ୟମ କରୁଥିବା ବେଳେ ଦୋକାନ ମାଲିକ ପ୍ରତିବାଦ କରିବାରୁ ତାଙ୍କ ଆଙ୍ଗଳିକୁ ଭୁଜାଲିରେ ଆଘାତ ଦେବା ସହିତ ବନ୍ଧୁକ ଦେଖାଇ ଲୁଟ କଲେ ଦୁର୍ବୃତ୍ତ । ବାଲେଶ୍ୱର ଜିଲ୍ଲା ସୋର ଥାନା ଅନ୍ତର୍ଗତ ବାହାନଗା ଡାକ୍ତରଖାନା ସମୁଖରେ ଘଟିଛି ଏଭଳି କାଣ୍ଡ । ସ୍ଥାନୀୟ ବାସିନ୍ଦା ଦିଲ୍ଲିପଙ୍କ କବାଡି ଦୋକାନରେ ପଶି ଦୁର୍ବୃତ୍ତମାନେ ସୁନା ଗହଣା ଏବଂ ଟଙ୍କା ଲୁଟ କରିଥିବା ଅଭିଯୋଗ ହୋଇଛି । ପୋଲିସ ଖବର ପାଇବା ପରେ ଘଟଣାସ୍ଥଳରେ ପହଁଞ୍ଚି ତଦନ୍ତ ଆରମ୍ଭ କରିଛି ।
ପୋଲିସ ସୂଚନା ମୁତାବକ ଶନିବାର ବିଳମ୍ବିତ ରାତିରେ ଚୋରମାନେ ଦୋକାନ କବାଟ ବାଡେଇଥିଲେ । ଦୋକାନ କର୍ମଚାରୀ ହରେକୃର୍ଷ୍ଣ କବାଟ ଖୋଲିବା ପରେ ତାଙ୍କୁ ବନ୍ଧୁକ ଦେଖାଇ ଟଙ୍କା ଏବଂ ସୁନା ଦେବା ପାଇଁ କହିଥିଲେ ଦୁର୍ବୃତ୍ତ । ତେବେ ଦୋକାନ ମାଲିକ ଦିଲ୍ଲିପ ଆସି ଚୋରଙ୍କୁ ପ୍ରତିବାଦ କରିବାରୁ ତାଙ୍କର ତିନୋଟି ଆଙ୍ଗୁଳିକୁ କାଟି ଦେଇଥିଲେ । ଦିଲ୍ଲିପ ପାଟି କରିବା ପରେ ଦୁର୍ବୃତ୍ତମାନେ ଲୁଟ କରି ଫେରାର ହୋଇଯାଇଥିଲେ । ପରେ ସ୍ଥାନୀୟ ଲୋକ ଘର ପାଖରେ ରୁଣ୍ଡ ହୋଇଥିଲେ । ରାତିରେ ଥାନାରେ ଯାଇ ଏତଲା ଦେଇଥିଲେ ଦିଲ୍ଲିପ । ଏହି ଅଭିଯୋଗ ଆଧାରରେ ପୋଲିସ ଘଟଣାସ୍ଥଳରେ ପହଁଞ୍ଚି ତଦନ୍ତ ଆରମ୍ଭ କରିଛି ।