ଖୋର୍ଦ୍ଧା (ଏଟିଆର ବ୍ୟୁରୋ); ଖବର ସଂଗ୍ରହ କରିବା କଣ ଭୁଲ? ସତକୁ ସାମ୍ନାକୁ ଆଣିବା କଣ ଏତେ ବଡ ପାପ । ସତ ଖବର ଲୋକ ଲୋଚନକୁ ଆଣୁଥିବା ସାମ୍ବାଦିକମାନେ ସବୁବେଳେ ଆକ୍ରମଣର ଶିକାର ହେଉଛନ୍ତି । ସେ ନୟାଗଡ ହେଉ ବା ବାଲେଶ୍ୱର । ଯେଉଁଠି ଅନ୍ୟାୟ ହୋଇଛି ସାମ୍ବାଦିକମାନେ ସତ୍ୟକୁ ଲୋକ ଲୋଚନକୁ ଆଣିବା ପାଇଁ ଚେଷ୍ଠା କରିଛନ୍ତି । କିନ୍ତୁ ମାଡ ମଧ୍ୟ ଖାଇଥିବାର ନଜିର ରହିଛି । ତେବେ ପୁଣି ଏଭଳି ଏକ ଘଟଣାର ପୁନରାବୃତି ହୋଇଛି । ଜଣେ କାର୍ଯ୍ୟରତ ସାମ୍ବାଦିକଙ୍କୁ ମାଡ ମାରିଛନ୍ତି ଛାତ୍ର ଗୋଷ୍ଠୀ । ତେବେ ଏନେଇ ଥାନାରେ ଏତଲା ଦେଇଛନ୍ତି ସାମ୍ବାଦିକ ବନ୍ଧୁ । ପୋଲିସ ଘଟଣାର ତଦନ୍ତ ଆରମ୍ଭ କରିଛି । ସେପଟେ ଏହି ମାଡମରା ଘଟଣାକୁ ଘୋର ନିନ୍ଦା କରିଛନ୍ତି ବରିଷ୍ଠ ବ୍ୟକ୍ତି ।
ସୂଚନା ଅନୁଯାୟୀ ଖୋର୍ଦ୍ଧା ପିଏନ ମହାବିଦ୍ୟାଳୟର ବାର୍ଷିକ ଉତ୍ସବ ଚାଲିଥିବା ବେଳେ କେତେକ ବିଶୃଙ୍ଖଳିତ ଛାତ୍ର ଗଣ୍ଡଗୋଳ କରିବା ସହିତ ଭଙ୍ଗାରୁଜା ଆରମ୍ଭ କରି ଦେଇଥିଲେ । ତେବେ କଲେଜ ବାର୍ଷିକ ଉତ୍ସବରେ ଯୋଗ ଦେବା ପାଇଁ ଯାଇଥିବା ସାମ୍ବାଦିକ ପାଣ୍ଡବ ସାହୁ ଏହାକୁ ଉତ୍ତୋଳନ କରୁଥିଲେ । ଏଣୁ ଭିଡିଓ କାଳେ ଟିଭିରେ ପ୍ରସାରଣ କରାଯିବ ଏହି ଭୟରେ ଛାତ୍ରମାନେ ସାମ୍ବାଦିକଙ୍କୁ ମାଡ ମାରି ଲହୁ ଲୁହାଣ କରି ଦେଇଥିଲେ । ଏହାପରେ ସାମ୍ବାଦିକ ଜଣକ ସ୍ଥାନୀୟ ବୋଲଗଡ ଥାନାରେ ଏତଲା ଦେଇଥିଲେ । ଏହି ଅଭିଯୋଗ ଆଧାରରେ ପୋଲିସ ଘଟଣାର ତଦନ୍ତ ଆରମ୍ଭ କରିଛି । କଲେଜରେ ଲାଗିଥିବା ସିସିଟିଭିରେ ସବୁ ଦୃଶ୍ୟ କ୍ୟାପଚର ହୋଇଛି । ଏଣୁ ପୋଲିସ ତଦନ୍ତରେ ଏହା ସହାୟକ ହେବ ବୋଲି ପୋଲିସ ସୂଚନା ଦେଇଛି ।