ସମ୍ବଲପୁର (ଏଟିଆର ବ୍ୟୁରୋ); ଖବର ସଂଗ୍ରହ କରିବା ଭୁଲ? ନାଁ ସତ୍ୟକୁ ଲୋକ ଲୋଚନରେ ପ୍ରକାଶ ଏତେ ବଡ ଅପରାଧ । ଯଦି ଏସବୁ ଭୁଲ ନୁହେଁ ତେବେ କାହିଁକି ବାରମ୍ବାର ସାମ୍ବାଦିକଙ୍କ ଉପରେ ଦବଙ୍ଗଗିରି ଦେଖାଉଛନ୍ତି ପୋଲିସ ବାବୁମାନେ । ଦେହରେ ଖାକି ବର୍ଦି ଅଛି ବୋଲି କଣ ସେମାନେ ଇନ୍ଦ୍ର ଚନ୍ଦ୍ର କିଛି ମାନିବେ ନାହିଁ କି ? ସାମ୍ବାଦିକଙ୍କୁ ବାରମ୍ବାର ଆକ୍ରମଣ ହେବା ପରେ ସାଧାରଣ ଲୋକ ଉଠାଇଛନ୍ତି ଏଭଳି ଅନେକ ପ୍ରଶ୍ନ ।
ବୁଧବାର ପାଟକୁରାରେ ଜଣେ କାର୍ଯ୍ୟରତ ସାମ୍ବାଦିକଙ୍କୁ ହାତ ଉଠାଇଥିଲେ ଏସପି । ଯାହକୁ ନେଇ ସାରା ରାଜ୍ୟରେ ସାମ୍ବାଦିକ ଏବଂ ବୁଦ୍ଧିଜୀବୀମାନେ ତିବ୍ର ନିନ୍ଦା କରିଥିଲେ । ତେବେ ଏହି ଘଟଣାକୁ ଦୁଇଦିନ ବିତିନାହିଁ ଏଭଳି ପୁଣି ଏକ ଘଟଣାର ପୁନରାବୃତ୍ତି ହୋଇଛି । ସମ୍ବଲପୁର ଜିଲ୍ଲାର ଧୁମପାଲି ଅଞ୍ଚଳରେ ସ୍କୁଲରେ ଛାତ୍ରୀଙ୍କୁ ଦୁଷ୍କର୍ମ କରାଯାଇଥିଲା । ଏହି ଖବର ସଂଗ୍ରହ କରିବା ପାଇଁ ଯାଇଥିଲେ ଜଣେ ଜଣାଶୁଣା ଗଣମାଧ୍ୟମର ପ୍ରତିନିଧି ।
ତେବେ ବିଦ୍ୟାଳୟ ଭିତରକୁ ପଶିବା ପାଇଁ ଦେଇନଥିଲେ ଧୂମପାଲି ଥାନା ଆଇଆଇସି କମଳ କୁମାର ପଣ୍ଡା । ଭିତରେ ପିଡିତାଙ୍କ ଅଭିଭାବକମାନେ ଥିଲେ । ଯେଉଁ କାରଣରୁ ଯିବା ପାଇଁ ସବୁ ଗଣମାଧ୍ୟମ ପ୍ରତିନିଧିମାନେ ଚେଷ୍ଟା କରିଥିଲେ । କିନ୍ତୁ ଆଇଆଇସି ଜଣେ ସାମ୍ବାଦିକଙ୍କୁ ଠେଲା ପେଲା କରିଥିଲେ । ତେବେ ଏହି ଭିଡିଓ ଉଠାଇଯାଇଥିଲା । ଯାହାକି ଏବେ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି । ଏବଂ ଦୁଇଦିନ ତଳେ ପୋଲିସ ବାବୁ ହାତ ଉଠାଇବାକୁ ଏତେ ନିନ୍ଦା କରିବା ପରେ ମଧ୍ୟ ଆଜି ଚେତି ନାହାଁନ୍ତି ଆଇଆଇସି ।