ମାଲକାନଗିରି (ଏଟିଆର ବ୍ୟୁରୋ); କିଛିଦିନର ବିରତି ପରେ ପୁଣି ତାତିଲେ ମାଓବାଦୀ । ବିସ୍ଫୋରଣରେ ଉଡାଇଲେ ପଞ୍ଚାୟତ ଅଫିସ । ମାଲକାନଗିରି ଜିଲ୍ଲା ମାଥିଲି ବ୍ଳକ ଅନ୍ତର୍ଗତ ତେମୁରୁପାଲି ପଞ୍ଚାୟତ ଅଫିସରେ ଘଟିଛି ଏଭଳି ହିଂସାତ୍ମକ ଘଟଣା । ଏହି ବିସ୍ଫୋରଣରେ ପଞ୍ଚାୟତ କାର୍ଯ୍ୟାଳୟରେ ବ୍ୟାପକ କ୍ଷତି ହୋଇଛି । ଅଫିସରେ ଥିବା ବହୁ ଗୁରୁତ୍ୱପୂଣ୍ଣ କାଗଜପତ୍ର ଏବଂ ଦସ୍ତାବିଜ ନଷ୍ଟ ହୋଇଯାଇଛି । ତେବେ ମାଓବାଦୀମାନେ କେଉଁ କାରଣରୁ ଏହି ଘଟଣା ଘଟାଇଛନ୍ତି ତାହା ସ୍ପଷ୍ଟ ହୋଇନାହିଁ । ବିସ୍ଫୋରଣ ପରେ ଘଟଣାସ୍ଥଳରୁ କିଛି ମାଓପୋଷ୍ଟର ପୋଲିସ ଜବତ କରିଛି ।
ମିଳିଥିବା ସୂଚନା ମୁତାବକ ଗତକାଲି ବିଳମ୍ବିତ ରାତିରେ ମାଓବାଦୀମାନେ ପଞ୍ଚାୟତ ଅଫିସକୁ ଟାର୍ଗେଟ କରିଥିଲେ । ଲ୍ୟାଣ୍ଡମାଇନ ଲଗାଇ ଅଫିସକୁ ଉଡାଇ ଦେଇଛନ୍ତି । ସାଧାରଣ ଲୋକଙ୍କୁ ଡରାଇବା ପାଇଁ କିମ୍ବା ପଞ୍ଚାୟତ ଅଫିସରେ ମହଜୁଦଥିବା କିଛି ଦସ୍ତାବିଜକୁ ନଷ୍ଟ କରିବା ପାଇଁ ମାଓବାଦୀମାନେ ଏଭଳି ଘଟଣା ଭିଆଇଥିବା ଅନୁମାନ କରାଯାଉଛି । ଖବର ପାଇ ପୋଲିସ ଘଟଣାସ୍ଥଳରେ ପହଁଞ୍ଚି ତଦନ୍ତ ଆରମ୍ଭ କରିଛି ।
ସୂଚନାଯୋଗ୍ୟ, ମାଓ ଅଧୁଷିତ ଅଞ୍ଚଳମାନଙ୍କରେ ନିର୍ବାଚନ ନକରିବା ପାଇଁ ମାଓବାଦୀମାନେ ପୋଷ୍ଟର ଲଗାଇ ମତଦାନ ନକରିବା ପାଇଁ ଲୋକଙ୍କୁ ଧମକ ଦେଇଥିଲେ । ଏମିତିକି ନିର୍ବାଚନ ସମୟରେ ମଧ୍ୟ ହିଂସାକାଣ୍ଡ କରି ପୁଲିଂ ଗାଡି ଉଡାଇଦେଇଥିଲେ । ମାଓବାଦୀଙ୍କ ହିଂସାରେ ଜଣେ ଜିଆରଏସ କର୍ମୀଙ୍କ ଜୀବନ ମଧ୍ୟ ଯାଇଥିଲା । ତେବେ ଆସନ୍ତା ୨୩ ତାରିଖରେ ନିର୍ବାଚନ ଫଳ ବାହାରିବାକୁ ଥିବା ବେଳେ ମାଓବାଦୀଙ୍କ ଏହି ଉନ୍ମୁକ୍ତକାଣ୍ଡ ସ୍ଥାନୀୟ ଲୋକଙ୍କୁ ପ୍ରଭାବିତ କରିଛି ।