ସୁବର୍ଣ୍ଣପୁର ( ଏଟିଆର ବ୍ୟୁରୋ): ସକାଳେ ତହସିଲ ଅଫିସରେ ପାଟତୁଣ୍ଡ କରିବାରୁ ପୋଲିସ କାବୁ କରି ଥାନାକୁ ନେଇଥିଲା । ସେଠାରେ ଯୁବକ ଜଣଙ୍କ ଥାନା ଛାତରୁ ତଳକୁ ଡେଇଁ ଗୁରୁତର ଆହାତ ହୋଇଛନ୍ତି । ଏମିତି ଏକ ଅଭାବନୀୟ ଘଟଣା ଘଟିଛି ସୂବର୍ଣ୍ଣପୁର ବୀରମହାରାଜପୁରରେ । ସୂଚନାଅନୁସାରେ ଆଜି ବୀରମହାରାଜପୁର ବ୍ଲକ ଟଠିପାଲି ଗାଁର ଲିଙ୍ଗ ଅମାତ କୌଣସି କାରଣ ନେଇ ତହସିଲ ଅଫିସରେ ପାଟିତୁଣ୍ଡ କରିଥିଲେ ।
ତହସିଲ ଅଫିସ ପକ୍ଷରୁ ଏନେଇ ପୋଲିସକୁ ସୂଚନା ଦିଆଯାଇଥିଲା । ପୋଲିସ ଘଟଣା ସ୍ଥଳରେ ପହଞ୍ଚି ଯୁବକକୁ କାବୁ କରିଥିଲା । ଯୁବକକୁ କାବୁ କରି ପୋଲିସ ଥାନାକୁ ନେଇଥିଲା ସେଠାରେ ଯୁବକ ଜଣଙ୍କ ଥାନା ଉପର ଛାତକୁ ଯାଇ ତଳକୁ ଡେଇଁ ପଡିଛନ୍ତି । ଯାହାଫଳରେ ଯୁବକ ଜଣଙ୍କ ଆହାତ ହୋଇଛନ୍ତି । ଯୁବକକୁ ଏବେ ଉପଖଣ୍ଡ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଛି । ସେଠାରେ ତାଙ୍କର ସ୍ୱାସ୍ଥ୍ୟବସ୍ଥା ଗୁରୁତର ହେବାରୁ ତାଙ୍କୁ ବୁର୍ଲା ବଡମେଡିକାଲକୁ ସ୍ଥାନାନ୍ତର କରାଯାଇଛି । ଲିଙ୍ଗାର ସ୍ୱାସ୍ଥ୍ୟବସ୍ଥା ଏବେ ମଧ୍ୟ ଗୁରୁତର ରହିଛି ।
ତେବେ ଘଟଣା ପରେ ମେଡିକାଲରେ ତାଙ୍କର କୌଣସି ସମ୍ପର୍କୀୟ ପହଞ୍ଚି ନାହାନ୍ତି । ତେବେ ପ୍ରଶ୍ନ ଉଠୁଛି ପୋଲିସ ହେପାଜତରେ ଥାଇ ମଧ୍ୟ ସେ କେମିତି ଛାତ ଉପରକୁ ଯାଇଥିଲା । ଅନ୍ୟପଟେ ସେ ତହସିଲ ଅଫିସରେ କାହିଁକି ପାଟିତୁଣ୍ଡ କରୁଥିଲେ ତାହା ମଧ୍ୟ ଜଣାପଡିନାହିଁ । ଛାତରୁ ଡେଇଁ ପଡିବା ଫଳରେ ତାଙ୍କ ଗୋଡରେ ବହୁତ ଆଘାତ ଲାଗିବା ସହିତ ଶରୀରର ଅନେକ ସ୍ଥାନରେ କ୍ଷତ ହୋଇଛି ।