କେନ୍ଦୁଝର (ଏଟିଆର ବ୍ୟୁରୋ); ନିଶାରେ ଦୁଇ ଭାଇଙ୍କୁ ହାଣିଦେଲା ଯୁବକ । ଟାଙ୍ଗିଆ ଚୋଟରେ ଚାଲିଗଲା ଦୁଇ ଭାଇଙ୍କ ଜୀବନ । କେନ୍ଦୁଝର ଜିଲ୍ଲା ବାମେବାରୀ ଥାନା କାଶିଆରେ ଗାଁରେ ଘଟିଛି ଏଭଳି ଦୁଃଖଦ ଘଟଣା । ମୃତକ ଦୁଇ ଭାଇ ହେଲେ ସମ୍ଭାର ନାଏକ ଏବଂ କରମୁ ନାଏକ । ପୋଲିସ ଅଭିଯୁକ୍ତ ଉଦ୍ଧବ ନାଏକକୁ ଗିରଫ କରିଛି । ଅପରପକ୍ଷରେ ଦୁଇ ଭାଇଙ୍କ ଶବ କୁ ଉଦ୍ଧାର କରି ବ୍ୟବଛେଦ ପାଇଁ ପଠାଇ ଦେଇଛି । ତଦନ୍ତ ଆରମ୍ଭ କରିଛି ପୋଲିସ ।
ମିଳିଥିବା ସୂଚନା ମୁତାବକ, ଉଦ୍ଧବ ଜଙ୍ଗଲରୁ କାଠ ହାଣି ବିକୁଥିଲା । ଆଜି ପୂର୍ବାହ୍ନରେ କାଠ ବିକି ମଦ ପିଇ ଘରକୁ ଫେରୁଥିଲା । ବାଟରେ ସମ୍ଭାର ସହ କୌଣସି କାରଣରୁ ଉଦ୍ଧବର ଝଭଡା ହୋଇଥିଲା । ପ୍ରଥମେ ପାଟିତୁଣ୍ଡ ଏବଂ ପରେ ହାତାହାତି ହୋଇଥିଲେ । ହାତରେ ଧରିଥିବା ଟାଙ୍ଗିଆରେ ଏହାପରେ ଉଦ୍ଧବ ଆକ୍ରମଣ କରିଥିଲା ସମ୍ଭାରଙ୍କୁ । ନିଶାରେ ସିଧା ହାଣିପକାଇଥିଲା ଅଭିଯୁକ୍ତ ।
ବଡ ଭାଇକୁ ଆକ୍ରମଣ ହେଉଥିବା ଦେଖିବା ପରେ କରମୁ ଭାଇକୁ ବଞ୍ଚାଇବା ପାଇଁ ଯାଇଥିଲା । ଏହାପରେ କରମଙ୍କୁ ମଧ୍ୟ ଆକ୍ରମଣ କରିବା ଆରମ୍ଭ କରିଥିଲା ଉଦ୍ଧବ । ଗାଁଲୋକ ଦୌଡି ଆସି ଉଦ୍ଧବକୁ କାବୁ କରିଥିଲେ । ତେବେ ସେତିକି ବେଳକୁ ସବୁକିଛି ସରିଯାଇଥିଲା । ସମ୍ଭାର ଘଟଣାସ୍ଥଳରେ ହିଁ ମୃତ୍ୟୁ ବରଣ କରିଥିବା ବେଳେ କରମୁଙ୍କ ଅବସ୍ଥା ସଙ୍କଟାପର୍ଣ୍ଣ ହୋଇଥିଲା । ଗାଁଲୋକ ତାଙ୍କୁ ଉଦ୍ଧାର କରି ମେଡିକାଲରେ ଭର୍ତ୍ତି କରିଥିଲେ । ଡାକ୍ତର ସେଠାରେ ତାଙ୍କୁ ମୃତ ଘୋଷଣା କରିଥିଲେ । ଏହି ଘଟଣାକୁ ନେଇ ଗାଁରେ ଚାପା ଉତ୍ତେଜନା ଦେଖାଦେଇଛି । ପରିବାରର ଦୁଇ ଭେଣ୍ଡାପୁଅକୁ ହରାଇବା ପରେ ଘରଲୋକ ଦୁଃଖରେ ଭାଙ୍ଗି ପଡିଛନ୍ତି ।