ବାଲେଶ୍ୱର (ଏଟିଆର ବ୍ୟୁରୋ); ବର ବେଶରେ ସଜେଇ ହୋଇ ବାହାରିଥିଲେ କନ୍ୟା ଘରକୁ । ବାଜା ଏବଂ ବାଣ ଲଗାଇ ପ୍ରୋସେସନ କରି ବାହାରିଥିଲେ ବର । ସାଙ୍ଗମାନେ ମାଲ ମାରି ଆଗରେ ଧୁମ ନାଚୁଥିଲେ । କିନ୍ତୁ ବର କନ୍ୟା ଘରେ ପହଁଞ୍ଚିବା ପୂର୍ବରୁ ଫେରାର ହୋଇ ଯାଇଛି । ପୋଲିସ ପିଛା କରୁଥିବା ଜାଣିବା ପରେ ଫେରାର ହୋଇ ଯାଇଥିଲା ବର । ତେବେ ଏଭଳି ଘଟଣା ଘଟିଛି ବାଲେଶ୍ୱର ଜିଲ୍ଲା ସୋର ଅଞ୍ଚଳରେ ।
ତେବେ ପୋଲିସ ପିଛା କରିବାର କାରଣ ହେଲା କି ବିବାହ କରିବାକୁ ଯାଉଥିବା ବର ଜଣେ ରସିକିଆ ସ୍ୱଭାବର । ସେ ପୂର୍ବରୁ ତାଙ୍କ ଗାଁର ଆଉ ଜଣେ ଯୁବତୀଙ୍କ ସହିତ ପ୍ରେମ ସମ୍ପର୍କରେ ଥିଲେ ଏବଂ ଯୁବତୀଙ୍କୁ ବିବାହ କରିବାର ଆଶା ଦେଇ ବାରମ୍ବାର ଶାରୀରିକ ସମ୍ପର୍କ ରଖୁଥିଲେ । କିନ୍ତୁ ପରେ ଆଉ ଜଣକୁ ବିବାହ କରିବାକୁ ଯାଉଥିବା ଜାଣିବା ପରେ ଯୁବତୀ ଜଣକ ଥାନାରେ ଏତଲା ଦେଇଥିଲେ । ଏହି ଅଭିଯୋଗ ଆଧାରରେ ପୋଲିସ ବରକୁ ପିଛା କରିଥିଲା । କିନ୍ତୁ ଆଗୁଆ ଜାଣି ଦେଇଥିଲା ବର । ଶେଷରେ ଗାଡି ଛାଡି ଫେରାର ହୋଇଯାଇଥିଲା ।
ତେବେ ଫେରାର ହୋଇ ଯାଇଥିବା ଯୁବକ ହେଲେ ଜିତେନ୍ଦ୍ର ନାୟକ । ତାଙ୍କ ଘର ବାସୁଦେବପୁର ଥାନା ଅନ୍ତର୍ଗତ ଜଗନ୍ନାଥପୁରଗାଁରେ । ଜିତେନ୍ଦ୍ର ପ୍ରେମ ସମ୍ପର୍କରେ ଥିଲେ ମଧ୍ୟ ସୋର ଥାନା ଅନ୍ତର୍ଗତ ତଳନଗରଗାଁରେ ତାଙ୍କର ବିବାହ ଠିକ ହୋଇଥିଲା । ତେବେ ବର ଅଧାବାଟରୁ ଫେରାର ହୋଇଯିବା ପରେ ବରଯାତ୍ରୀମାନେ ହତାସିଆ ହୋଇ ଅଧାବାଟରୁ ଚାଲି ଯାଇଥିଲେ । ଫଳରେ ଭୋଜି ଭାତ ସବୁ ନଷ୍ଟ ହୋଇଥିଲା । ସେପଟେ ଭୋଜି ଖାଇବା ପାଇଁ ଦୁଇଜଣ କନ୍ୟାଘରେ ଆଗୁଆ ପହଁଞ୍ଚି ଯାଇଥିଲେ । ଅନ୍ୟମାନେ ଅଧାବାଟରୁ ପଳେଇଥିବାରୁ ସେମାନଙ୍କୁ କନ୍ୟାଘର ଲୋକ ଅଟକ ରଖିଛନ୍ତି ।