ପୁରୀ (ଏଟିଆର ବ୍ୟୁରୋ); ପୁଣି ପୁରୀରୁ ଆସିଲା ଏକ ହତ୍ୟା ଅଭିଯୋଗ । ଜଣେ ମଧ୍ୟ ବୟସ୍କ ଲୋକଙ୍କୁ କେହି ଦୁର୍ବୃତ୍ତ ଇଟାରେ ଛେଚି ମାରିବା ପରେ ଫେରାର ହୋଇ ଯାଇଛି । ପୁରୀ ଥାଉନ ଥାନା ଅନ୍ତର୍ଗତ ଚୁଡଙ୍ଗ ସାହି ଖୁଣ୍ଟିଆ ବଗିଚାରୁ ଆସିଛି ଏଭଳି ସଙ୍ଗୀନ ଅଭିଯୋଗ । ମୃତକ ହେଲେ ଉମାଶଙ୍କର ଆଚାର୍ଯ୍ୟ(୫୫) । ପୋଲିସ ତାଙ୍କ ମୃତ ଦେହ ଉଦ୍ଧାର କରି ବ୍ୟବଛେଦ ପାଇଁ ପଠାଇ ଦେଇଛି । ଘଟଣାର ତଦନ୍ତ ଜାରି ।
ସୂଚନା ଅନୁଯାୟୀ, ଉମାଶଙ୍କର ପାରିବାରିକ କଳହ ପାଇଁ ଘରେ ନରହି ଖୁଣ୍ଟିଆ ଗଳିରେ ଥିବା ଏକ କ୍ୟାବିନରେ ରହୁଥିଲେ । ଗୁରୁବାର ରାତିରେ କେହି ତାଙ୍କୁ ଇଟାରେ ଛେଚି ମାରିବା ପରେ ଫେରାର ହୋଇ ଯାଇଛି । ଆଜି ସକାଳେ ସ୍ଥାନୀୟ ଲୋକ ତାଙ୍କ ମୃତ ଦେହ ଦେଖିବା ପରେ ପୋଲିସକୁ କବର ଦେଇଥିଲେ । ଟାଉନ ଥାନା ପୋଲିସ ଖବର ପାଇ ଘଟଣାସ୍ଥଳରେ ପହଁଞ୍ଚିଥିଲା ।
ଘଟଣାସ୍ଥଳରେ ପଡିଥିବା ଇଟାକୁ ଦେଖିବା ପରେ ଉମାଶଙ୍କରଙ୍କୁ ହତ୍ୟା କରିଥିବା ଜାଣିଥିଲା ପୋଲିସ । ତେବେ କିଏ ଏବଂ କାହିଁକି ଉମାଶଙ୍କରଙ୍କୁ ମାରିଛି ତାହା ଜଣା ପଡିନାହିଁ । ତେବେ ପାରିବାରିକ କଳହର ଏହା କରୁଣ ପରିଣତି ବୋଲି ଅନୁମାନ କରାଯାଉଛି । ଇର୍ଷା ପରାୟଣ ହୋଇ ପରିବାର ଲୋକ ମାରିଥାଇ ପାରନ୍ତି ବୋଲି ଲୋକମାନେ ଟୁପୁରୁ ଟାପୁର ହେଉଛନ୍ତି । ତେବେ ପୋଲିସର ତଦନ୍ତ ପରେ ସବୁ ସତ ପଦାକୁ ଆସିବ ବୋଲି ଅନୁମାନ କରାଯାଉଛି ।