ଗଜପତି (ଏଟିଆର ବ୍ୟୁରୋ); ନିର୍ବାଚନକୁ ଦୃଷ୍ଟିରେ ରଖି ମାଓବାଦୀମାନେ ଖଞ୍ଜିଥିଲେ ବିସ୍ଫୋରକ । ବଡ ବିପଦରୁ ଟଳିଲା ଗଜପତି ଜିଲ୍ଲା ପୋଲିସ । ମାଓବାଦୀମାନେ ମୋହନା ବ୍ଳକର ଅଡବା ଥାନା ଅନ୍ତର୍ଗତ ପାଣିଗଣା ରାସ୍ତାରେ ଥିବା ଏକ ପୋଲତଳେ ୫୦ କିଲୋ ବିସ୍ଫୋରକ ଖଞ୍ଜିଥିଲେ । ତେବେ କୌଣସି ବିଶେଷ ସୂତ୍ରରୁ ପୋଲିସ ଖବର ପାଇବା ପରେ ବିସ୍ଫୋରକକୁ ହଟେଇ ଦେଇଛି । ତେବେ ଏଠାରେ ଭୋଟ କରାଇନଦେବା ପାଇଁ ମାଓବାଦୀମାନେ ଏଭଳି କରିଥିବା ଶୁଣିବାକୁ ମିଳୁଛି । ମାଓବାଦୀମାନେ ପୋଲିଂ କର୍ମଚାରୀଙ୍କୁ ଟାର୍ଗେଟ କରି କରିଥିବା ଜଣାପଡିଛି । ପୋଲିସ ଘଟଣାର ତଦନ୍ତ ଆରମ୍ଭ କରିଛି । ଆଜି ଦୁଇଟି ବଡ ବିସ୍ଫୋରଣ କରିବା ପାଇଁ ମାଓବାଦୀମାନେ ଉଦ୍ୟମ କରିଥିବା ବେଳେ ଯବାନମାନେ ଏହାକୁ ପଣ୍ଡ କରିଛନ୍ତି ।
ନୂଆପଡା ସୀମାନ୍ତବର୍ତ୍ତୀ ଅଞ୍ଚଳରେ ପୋଲିସ ଓ ମାଓବାଦୀ ମଧ୍ୟରେ ଗୁଳିବିନିମୟ ହୋଇଛି । ବୋଡେନ ଥାନା ପାଟଦର୍ହା ସଂରକ୍ଷିତ ଜଙ୍ଗଲରେ ମାଓକ୍ୟାମ୍ପ ଠାବ ହୋଇଛି । କମ୍ବିଂ ବେଳେ ବିପୁଳ ପରିମାଣର ମାଓ ସାମଗ୍ରୀ ଜବତ ହୋଇଛି । ଜବତ ସାମଗ୍ରୀ ମଧ୍ୟରେ ମାଓ ପୋଷାକ, ୨ ପ୍ରେସର କୁକର, ୮ ଜିଲୋଟିନ, ୩ ବଣ୍ଡଲ ତାର, ୪ଟି ଡିଟୋନେଟର, ମାଓ ପୁସ୍ତକ ଆଦି ରହିଛି । ସାଧାରଣ ନିର୍ବାଚନକୁ ଅଖି ଆଗରେ ରଖି ବୋଡେନ ଥାନା ପାଟଦର୍ହା ଜଙ୍ଗଲ ଭିତରେ କମ୍ବିଂ ଅପରେସନ କରିଥିଲା । ଯେଉଁଥିରେ ସିଆରପିଏଫ, ଡିଭିଏଫ ଓ ଏସଓଜି ଯବାନ ସାମିଲ ଥିଲେ ।
ସୂଚନାରୁ ପ୍ରକାଶ, ଆସନ୍ତାକାଲି ପ୍ରଥମ ପର୍ଯ୍ୟାୟ ନିର୍ବାଚନ ହେବ। ଏଥିପାଇଁ ସୁରକ୍ଷା ବ୍ୟବସ୍ଥା କଡ଼ାକଡ଼ି କରାଯାଇଛି। ତେବେ ଲ୍ୟାଣ୍ଡମାଇନ୍ ମିଳିବା ପରେ ସାଧାରଣରେ ଭୟର ବାତାବରଣ ଖେଳିଯାଇଛି। ୧ ଘଣ୍ଟା ଧରି ଗୁଳିବିନିମୟ ହୋଇଥିଲା। ଯବାନଙ୍କ ପାଲଟା ଆକ୍ରମଣକୁ ସାମ୍ନା କରିନପାରି ଛତ୍ରଭଙ୍ଗ ଦେଇଥିଲେ ମାଓବାଦୀ। ଘଟଣାସ୍ଥଳରୁ ବହୁ ବିସ୍ଫୋରକ ସାମଗ୍ରୀ ଜବତ କରାଯାଇଛି। ନିର୍ବାଚନକୁ ଶାନ୍ତିଶୃଙ୍ଖଳା ସହ ସାରିବାକୁ ଜିଲ୍ଲାରେ ସୁରକ୍ଷା ବ୍ୟବସ୍ଥା ବଢାଯାଇଛି