ବଲାଙ୍ଗୀର (ଏଟିଆର ବ୍ୟୁରୋ); ପାପର ଶେଷ ସୀମା । ଠାକୁରଙ୍କ ମନ୍ଦିର ତାଲା ଭାଙ୍ଗି ମୁକୁଟ ସହିତ ହୁଣ୍ଡିରୁ ପାଖାପାଖି ୨ ଲକ୍ଷରୁ ଅଧିକ ଟଙ୍କା ନେଇ ଫେରାର ହୋଇଗଲେ ଦୁର୍ବୃତ୍ତ । ଯାହାକୁ ନେଇ ଏବେ ସ୍ଥାନୀୟ ଅଞ୍ଚଳରେ ବେଶ ଚର୍ଚ୍ଚା ହେଉଛି । ତେବେ ଏଭଳି ଅଭାବନୀୟ ଘଟଣା ଘଟିଛି ବଲାଙ୍ଗୀର ଜିଲ୍ଲା ଖୁଜେନପାଲି ଶିବ ମନ୍ଦିରରେ । କେହି ଦୁର୍ବୃତ୍ତ ସ୍ଥାନୀୟ ଶିବ ମନ୍ଦିର ତାଲା ଭାଙ୍ଗି ଠାକୁରଙ୍କ ସୁନା ମୁକୁଟ ଲୁଟିନେଇଛି । ଏହାସହ ମନ୍ଦିର ଭିତରେ ଥିବା ହୁଣ୍ଡି ଭାଙ୍ଗି ୨ଲକ୍ଷ ଟଙ୍କାରୁ ଅଧିକ ଲୁଟି ନେଇଛି । ପୋଲିସ ଖବର ପାଇବା ପରେ ଘଟଣାର ତଦନ୍ତ କରୁଛି ।
ସବୁ ଦିନ ଭଳି ମନ୍ଦିର ପହଡ ପଡିଥିଲା ରାତିରେ । କିନ୍ତୁ ସକାଳୁ ଆସି ଦେଖିବା ବେଳକୁ ତାଲା ଭଙ୍ଗା ହୋଇଛି । ଏହାକୁ ଦେଖିବା ପରେ ପୂଜକ ମନ୍ଦିର ଭିତରୁ କଣ ଚୋରୀ ହୋଇଛି ଦେଖିବାକୁ ଯାଇଥିଲେ । ଦେଖିଲା ବେଳକୁ ସବୁ କିଛି ଲୁଟିନେଇଛନ୍ତି ଦୁର୍ବୃତ୍ତ । ପୂଜାରୀ ଗାଁ ଲୋକଙ୍କୁ ଡାକିବା ପରେ ସମସ୍ତେ ଆସି ମନ୍ଦିର ପରିସରରେ ଗଦା ହୋଇଥିଲେ । ପରେ ପୋଲିସକୁ ଖବର ଦେଇଥିଲେ ପୂଜାରୀ । ଖବର ପାଇ ପୋଲିସ ଘଟଣାସ୍ଥଳରେ ପହଁଞ୍ଚି ସ୍ଥାନୀୟ ଲୋକଙ୍କୁ ପଚରା ଉଚରା କରିବା ସହିତ ତଦନ୍ତ ଆରମ୍ଭ କରିଛି । ତେବେ ଲୋକମାନେ କଥା ହେଉଛନ୍ତି କି ଯିଏ ଠାକୁରଙ୍କ ମୁକୁଟ ଏବଂ ଦାନ ନେଇଛି ତାକୁ ଧର୍ମ ସହିବନି । ସେ ଅଳ୍ପ ଦିନରେ ମରିବ । ଏଭଳି ଭାବରେ ଯାହା ମନକୁ ଯାହା ଆସିଲା ଅଭିଶାପ ଦେୁଥିବା ଦେଖିବାକୁ ମିଳିଛି ।