ଧର୍ମଗଡ (ଏଟିଆର ବ୍ୟୁରୋ): ବଢି ଚାଲିଛି ଲୁଟେରାଙ୍କ ଆତଙ୍କ । କାହାରିକି ଖାତିର ନକରି ବେଧଡକ ଲୁଟୁଛନ୍ତି । କେତେବେଳେ ଘରେ ପଶି ଲୁଟୁଲେଣି ତ ପୁଣି ଆଉ କେତେବେଳେ ରାସ୍ତାରେ ଲୋକଙ୍କୁ ଡରାଇ ଧମକାଇ । ଖାସ୍ କରି କି ଲୁଟେରାଙ୍କ ନଜର ରହିଛି ରାଜ୍ୟରେ ଥିବା ବିଭିନ୍ନ ଏଟିଏମ୍ ଉପରେ । ଏଭଳି ବାରମ୍ବାର ଏଟିଏମ୍ ରୁ ଟଙ୍କା ହଡପ କରିବା କଥା ତ ଶୁଣିବାକୁ ମିଳୁଥିଲା । କିନ୍ତୁ ଏବେ ଲୁଟେରାମାନେ ଲୁଟ୍ କରିବାର ଆଉ ଏକ ଟ୍ରିକ୍ ଆପଣାଇଛନ୍ତି । ଆଜ୍ଞା ହଁ ଲୁଟେରାମାନେ ସମ୍ପୂର୍ଣ୍ଣ ଏଟିଏମ୍ ମେସିନ୍ ଉଠାଇ ନେଇଛନ୍ତି । ଏଭଳି ଦୃଶ୍ୟ କଳାହାଣ୍ଡିରେ ଦେଖିବାକୁ ମିଳିଛି ।
କଳାହାଣ୍ଡି ଚାରିଛକ ଠାରେ ଥିବା ଇଣ୍ଡିଆନ୍ ଓଭରସିଜ୍ ବ୍ୟାଙ୍କ (ଆଇଓବି) ରୁ ଗତକାଲି ବିଳମ୍ବିତ ରାତିରେ କିଛି ଦୁର୍ବୃତ୍ତ ଟଙ୍କା ଲୁଟ୍ କରିଛନ୍ତି । କେବଳ ଟଙ୍କା ଲୁଟ୍ କରିବାରେ ସେମାନଙ୍କର ମନ ଶାନ୍ତି ହୋଇନଥିଲା ଯେ ଗ୍ୟାସ୍ କଟର ସାହାଯ୍ୟରେ ଏଟିଏମ୍ ମେସନିନକୁ କାଟି ଗାଡିରେ ଲଦି ଫେରାର ହୋଇଯାଇଛନ୍ତି । ବ୍ୟାଙ୍କ କତ୍ତୃପକ୍ଷଙ୍କ କହିବାନୁଯାୟୀ ଏଟିଏମ୍ କ୍ୟାସ୍ ବକ୍ସରେ ଦୁଇ ଲକ୍ଷରୁ ଅଧିକ ଟଙ୍କା ଥିଲା ବୋଲି ସୂଚନା ମିଳିଛି ।
ଅନ୍ୟପଟେ ବସ୍ତିପଡା ସ୍ଥିତ ଷ୍ଟେଟ୍ ବ୍ୟାଙ୍କ ଅଫ ଇଣ୍ଡିଆ (ଏସବିଆଇ) ରୁ ଲୁଟେରାମାନେ ଲୁଟ୍ କରିବାକୁ ଉଦ୍ୟମ କରିଥିଲେ । ମାତ୍ର ଠିକ୍ ସମୟରେ ପୋଲିସ୍ ଭ୍ୟାନ୍ ପହଁଚି ଯିବାରୁ ଲୁଟେରାଙ୍କ ଲୁଟତ ଉଦ୍ୟମ ପଣ୍ଡ ହୋଇଯାଇଥିଲା । ଏହି ମାମଲାକୁ ନେଇ ପୋଲିସ ଘଟଣଶ ସ୍ଥଳରେ ପହଁଚି ତଦନ୍ତ ଆରମ୍ଭ କରିଛି ।