କଟକ (ଏଟିଆର ବ୍ୟୁରୋ); ଘରୋଇ କଳିକୁ କେନ୍ଦ୍ର କରି ମହିଳାଙ୍କୁ ଗୋଡାଇ ଗୋଡାଇ ହାଣିଲେ ଯୁବକ । ଟାଙ୍ଗିଆ ଚୋଟରେ ଗଲା ମହିଳାଙ୍କ ଜୀବନ । କଟକ ଜିଲ୍ଲା ବାଙ୍କୀ ଥାନା ଅନ୍ତର୍ଗତ ମାଳବିହାରପୁର ଗାଁରେ ଘଟିଛି ଏଭଳି ଅଭାବନୀୟ ଘଟଣା । ହରିଜନ ସାହିର ନଣ୍ଡା ଦେହୁରୀ ମାମି ଖଟୁଆଙ୍କୁ ମାରିଥିବା ଜଣା ପଡିଛି । ପୋଲିସ ଅଭିଯୁକ୍ତ ନଣ୍ଡାକୁ ଅଟକ ରଖି ପଚରା ଉଚରା କରୁଛି ।
ସୋମବାର ରାତି ୮ଟା ବେଳେ ମାମି ଏବଂ ନଣ୍ଡା ଭିତରେ ଗଣ୍ଡଗୋଳ ହୋଇଥିଲା । ଏମାନଙ୍କ ମଧ୍ୟରେ ପୂର୍ବରୁ ମଧ୍ୟ ଝଗଡା ଲାଗିଥାଏ । କିନ୍ତୁ କେବେ ହାତାହାତି ହୋଇନଥିଲେ । କିନ୍ତୁ ଗତକାଲି ସବୁ କିଛି ପାର ହୋଇଯାଇଥିଲା । ଝଗଡା ଏପରି ଉଗ୍ରରୂପ ନେଇଥିଲା କି ନଣ୍ଡାର ମୁଣ୍ଡକୁ ପିତ ଚଢ଼ିଯାଇଥିଲା । ଏବଂ ସେ ମାମିଙ୍କୁ ଗୋଡାଇ ଗୋଡାଇ ହାଣିଥିଲା । ମାମି ବଞ୍ଚାଇବା ପାଇଁ ଚେଷ୍ଟା କରିଥିବା କୃପାସିନ୍ଧୁଙ୍କୁ ମଧ୍ୟ ହାଣିଥିଲା ନଣ୍ଡା ।
ନଣ୍ଡାର ଟାଙ୍ଗିଆ ଚୋଟରେ ଘଟଣାସ୍ଥଳରେ ହିଁ ମାମିଙ୍କର ମୃତ୍ୟୁ ହୋଇଥିଲା । ତେବେ ପରିବାର ଲୋକ ମେଡିକାଲକୁ ନେଇଥିଲେ । ଡାକ୍ତର ସେଠାରେ ମୃତ୍ୟୁ ଘୋଷଣା କରିଥିଲେ । ପୋଲିସ ଖବର ପାଇବା ପରେ ମୃତଦେହକୁ ବ୍ୟବଛେଦ ପାଇଁ ପଠାଇ ଦେଇଛି । ଅପରପକ୍ଷରେ ପୋଲିସ ଅଭିଯୁକ୍ତ ନଣ୍ଡାକୁ ଥାନାରେ ଅଟକ ରଖି ପଚରା ଉଚରା କରୁଛି । ଆହତ କୃପାସିନ୍ଧୁଙ୍କୁ ଆଠଗଡ ମେଡିକାଲରେ ଚିକିତ୍ସା ପାଇଁ ଭର୍ତ୍ତି କରାଯାଇଛି । ଏହି ଘଟଣାକୁ ନେଇ ଏବେ ସାରା ଅଞ୍ଚଳରେ ଚର୍ଚ୍ଚା ଜୋର ଧରିଛି ।