ଫୁଲବାଣୀ (ଏଟିଆର ବ୍ୟୁରୋ); ପୁଣି କନ୍ଧମାଳରେ ଦବଦବା ଦେଖାଇଲା ଲାଲ ବାହିନୀ । ଘରୁ ଡାକିନେଇ ଠିକାଦାରଙ୍କୁ ଗୁଳିକରି ହତ୍ୟା କରିଥିବା ଅଭିଯୋଗ ହୋଇଛି । ତେବେ ଏଭଳି ଘଟଣା ଘଟିଛି କନ୍ଧମାଳ ଜିଲ୍ଲା ଫିରିଙ୍ଗିଆ ଥାନା କେଲେରପଙ୍ଗା ଗାଁରେ । ମୃତ ଠିକାଦାର ହେଲେ କୈଳାସ ଦିଗାଲ । ପୋଲିସ ଖବର ପାଇବା ପରେ ଘଟଣାସ୍ଥଳରେ ପହଁଞ୍ଚି ମୃତଦେହକୁ ଉଦ୍ଧାର କରିଛି । ମୃତ ଦେହ ନିକଟରୁ ମାଓବାଦୀ ପୋଷ୍ଟର ମଧ୍ୟ ଜବତ କରିଛି ପୋଲିସ । ଘଟଣାର ତଦନ୍ତ ଜାରି ।
ସୂଚନା ଅନୁଯାୟୀ ଗତକାଲି ବିଳମ୍ବିତ ରାତିରେ କୈଳାସଙ୍କ ଘରୁ ତାଙ୍କୁ ଡାକିନେଇଥିଲେ ମାଓବାଦୀ । ଗାଁ ମୁଣ୍ଡକୁ ଯିବା ପରେ ତାଙ୍କୁ ଗୁଳି କରି ହତ୍ୟା କରିଥିଲେ । ତେବେ ମାଓବାଦୀମାନେ କାହିଁକି ହତ୍ୟା କଲେ ତାହା ସ୍ପଷ୍ଠ ହୋଇନାହିଁ । ତେବେ ଏହା ନିର୍ବାଚନୀ ହିଂସା ପାଇଁ କିମ୍ବା ଅନ୍ୟ କୌଣସି କାରଣ ଲାଗି ହୋଇଛି ତାହା ଜାଣିବା ପାଇଁ ତଦନ୍ତ ଚଳାଇଛି ପୋଲିସ । ରାଜ୍ୟରେ ମତଦାନ ହେବା ପରଠାରୁ କନ୍ଧମାଳରେ ଏହା ନକ୍ସଲଙ୍କ ଦ୍ୱିତୀୟ ହମଲା । ପୂର୍ବରୁ ଜଣେ ମହିଳା ଜିଆରଏସ କର୍ମୀଙ୍କୁ ଗୁଳିକରି ହତ୍ୟା କରିଥିଲେ ମାଓବାଦୀ । ମୃତ ମହିଳା ଜଣକ ଥିଲେ ସଂଜୁକ୍ତା । ଯେଉଁଦିନ ସଂଜୁକ୍ତାଙ୍କର ମୃତ୍ୟୁ ହୋଇଥିଲା ସେହିଦିନ ଜିଲ୍ଲାର ଫିରିଙ୍ଗିଆ ଥାନା ଅଞ୍ଚଳରେ ନକ୍ସଲମାନେ ଏକ ପୋଲିଂ ପାର୍ଟିର ଗାଡ଼ିକୁ ଜାଳି ଦେଇଥିଲେ।