ବଲାଙ୍ଗିର (ଏଟିଆର ବ୍ୟୁରୋ); ପୁଣି ଦବଦବା ଦେଖାଇଲା ଲାଲ ବାହିନୀ । ଗଡାଇଲେ ଆଉ ଏକ ମୁଣ୍ଡ । ଏହି ହତ୍ୟାକୁ ମିଶାଇ ନିର୍ବାଚନ ମଧ୍ୟରେ ତିନି ଜଣଙ୍କୁ ହତ୍ୟା କରିଛନ୍ତି ନକ୍ସଲ । ଗତକାଲି ବଲାଙ୍ଗିର ଜିଲ୍ଲା ଖପ୍ରାଖୋଲ ଖୁରିପାଣି ଗାଁରେ ପଶି ଜଣକୁ ପୋଲିସ ଇନଫରମର ଭାବି ଘରୁ ନେଇ ଗୁଳି କରି ହତ୍ୟା କରିଛନ୍ତି । ମୃତକ ହେଲେ ତ୍ରିଲୋଚନ ତିଆରି । ପୋଲିସ ଖବର ପାଇ ମୃତଦେହକୁ ଉଦ୍ଧାର କରି ବ୍ୟବଛେଦ ପାଇଁ ପଠାଇ ଦେଇଛି । ଘଟଣାର ତଦନ୍ତ ଜାରି ।
ପୋଲିସ ରିପୋର୍ଟ ମୁତାବକ ଗତକାଲି ରାତିରେ ମାଓବାଦୀମାନେ ଆସି ତ୍ରିଲୋଚନଙ୍କୁ ଘରୁ ଟେକି ନେଇଥିଲେ । ତାଙ୍କୁ ଗାଁ ମଝିରେ ଏକ ଖୁଣ୍ଟରେ ବାନ୍ଧି ଅତି ନିର୍ମମ ଭାବରେ ଗୁଳିକରି ହତ୍ୟାର କରିଥିଲେ । ତେବେ ତ୍ରିଲୋଚନ ପୋଲିସ ଇନଫର୍ମରଥିଲେ ବୋଲି ତାଙ୍କୁ ମାଓବାଦୀ ହତ୍ୟା କରିଥିବା ଏକ ହାତଲେଖା ଚିଠି ତାଙ୍କ ମୃତ ଦେହରେ ଲଗାଇଥିଲେ । ଏହି ଚିଠି ଗାଁର ଆଉ କିଛି ଲୋକଙ୍କ ନାମ ମଧ୍ୟ ଳେଖାଯାଇଛି । ସେମାନଙ୍କୁ ଖୋଲାଖୋଲି ଧମକ ଦିଆଯାଇଛି କି ଚେତିଯାଅ । ନହେଲେ ତମର ମଧ୍ୟ ଏଭଳି ଅବସ୍ଥା ହେବ । ମାଓବାଦୀମାନେ ଯିବା ପରେ ପୋଲିସକୁ ଖବର ଦେଇଥିଲେ ଗାଁଲୋକ । ପୋଲିସ ଘଟଣାସ୍ଥଳରେ ପହଁଞ୍ଚି ତଦନ୍ତ ଚଳାଇଛି ।
ଦ୍ୱିତୀୟ ପର୍ଯ୍ୟାୟ ନିର୍ବାଚନ ବେଳେ ଜଣେ ମହିଳା ପୁଲିଂ କର୍ମଚାରୀଙ୍କୁ ପ୍ରଥମେ ମାରିଥିଲେ ମାଓବାଦୀ । ସଯୁକ୍ତା ନାମକ ଏହି ମହିଳା କର୍ମଚାରୀ ଗର୍ଭବତୀ ମଧ୍ୟ ଥିଲେ । ଏହା ପରେ ଗତକାଲି ମଧ୍ୟ ଜଣେ ଠିକାଦାରଙ୍କୁ ଗୁଳିକରି ମାରିଥିଲେ ମାଓବାଦୀ । ତେବେ ତାଙ୍କୁ କେଉଁ କାରଣରୁ ମାରିଛନ୍ତି ତାହା ଜଣାପଡିନାହିଁ । ମୃତକ ଥିଲେ କୈଳାସ ଦିଗାଲ ।