ରାଉରକେଲା ( ଏଟିଆର ବ୍ୟୁରୋ): ରାଉରକେଲାରେ ଲାଲ ଆତଙ୍କ ! ଗାଡି ପୋଡି କଲେ ଉପସ୍ଥିତି ଜାହିର! ୨ ଟି ହାଇବା ପୋଡି ଦେଇଥିବା ସନ୍ଦେହ । ସୂଚନାଅନୁସାରେ ରାଉରକେଲା ପାଖ ସବଡେଗା ଅଞ୍ଚଳରେ ଏହି ଘଟଣା ଘଟିଛି । ୨ ଟି ହାଇବା ସମେତ ୨ ଟି ଜେସିବି ମେସିନ ପୋଡା ହୋଇଥିବା ଖବର ସାମ୍ନାକୁ ଆସିଛି । ଗାଡିର ଡ୍ରାଇଭର କି ହେଲପର ମଧ୍ୟ ସେଠାରେ ଉପସ୍ଥିତ ନାହାନ୍ତି । ବାଲି ବୋଝେଇ ଏହି ଟ୍ରକ ଓ ଜେସିବି ମେସିନ ପାଖରେ ଏକ କାମରେ ନିୟୋଜିତ ରହିଥିବା ବେଳେ ଏହି ଅଭାବନୀୟ କାଣ୍ଡ ଘଟିଛିି ।
ଅନୁମାନ କରାଯାଉଛି ନକ୍ସଲଙ୍କୁ ଚାନ୍ଦା ନଦେବାରୁ ସେମାନେ ଏହିଭଳି ଅଘଟଣ ଘଟାଇଛନ୍ତି । ତେବେ ଏନେଇ କୌଣସି ସ୍ପଷ୍ଟ ପ୍ରମାଣ ମିଳି ନାହିଁ । ଘଟଣା ସ୍ଥଳରେ ପୁଲିସ ପହଞ୍ଚି ଅଧିକ ତଦନ୍ତ ଆରମ୍ଭ କରିଛି । ଏହି ଅଞ୍ଚଳ ନକ୍ସଲ ପ୍ରଭାବିତ ଅଞ୍ଚଳ ହୋଇଥିବାରୁ ଏହା ସେମାନଙ୍କର କାମ ବୋଲି ଆଲୋଚନା ହେଉଛି । ତେବେ ଗାଡି ଡ୍ରାଇଭର ଓ ହେଲପର ଜଙ୍ଗଲକୁ ପଳାଇ ଯାଇଥିବା ଜଣାପଡିଛି ।
ପୂର୍ବରୁ ରାଉରକେଲା- ବଅଁରସୁଆ ରେଳ ପଥର ଦୋହରୀ କରଣ ସମୟରେ ନକ୍ସଲ ମାନେ ଚାନ୍ଦା ମାଗିବା ସହିତ କାମରେ ବାଧା ଉପୁଯାଇଥିଲେ । ରାଉରକେଲା ଆଖ ପାଖ ଅଞ୍ଚଳରେ ନକ୍ସଲ ରହୁଥିବାର ସେମାନେ ପୂର୍ବରୁ ମଧ୍ୟ ବିଭିନ୍ନ ଅଘଟଣ ଘଟାଇ ସେମାନଙ୍କର ଉପସ୍ଥିତି ଜାହିର କରିଛନ୍ତି ।